ରାଜ୍ୟକୁ ଆସିବ ବିପୁଳ ରାଜସ୍ୱ । ୧୦ଟି ଲୁହା ଓ ମାଙ୍ଗାନିଜ ଖଣି ପାଇଁ ଆରମ୍ଭ ହେଲା ଇ-ନିଲାମ ପ୍ରକ୍ରିିୟା, ୧୪ ତାରିଖରେ ହୋଇପାରେ ଆଉ ୧୦ ଖଣିର ନିଲାମ

696

କନକ ବ୍ୟୁରୋ : ରାଜ୍ୟକୁ ଆସିବ ବିପୁଳ ପରିମାଣର ରାଜସ୍ୱ । ଓଡିଶାର ଖଣି ନିଲାମ ପରେ ୫୦ ବର୍ଷରେ ରାଜ୍ୟ ରାଜକୋଷକୁ ଆସିବ ୧ ଲକ୍ଷ କୋଟି ଟଙ୍କା । ଗତକାଲି ୧୦ଟି ଲୁହା ଓ ମାଙ୍ଗାନିଜ୍ ଖଣି ପାଇଁ ଇ-ନିଲାମ ବିଜ୍ଞପ୍ତି ପ୍ରକାଶ ପରେ ଏହି ସମ୍ଭାବନା ସୃଷ୍ଟି ହୋଇଛି । ଶୁକ୍ରବାର ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ୭ଟି ଲୁହା ଖଣି ଏବଂ ୩ଟି ଲୁହା ଓ ମାଙ୍ଗାନିଜ ମିଶ୍ରିତ ଖଣି ରହିଛି । ଏହି ମାନଙ୍କ ମଧ୍ୟରୁ ୫ଟି ଖଣି ନିର୍ଦ୍ଧିଷ୍ଟ କେତେକ କ୍ଷେତ୍ର ପାଇଁ ସଂରକ୍ଷିତ ରହିଛି । ବୃହତ୍ ଇସ୍ପାତ ଶିଳ୍ପ, ସ୍ପଞ୍ଜ୍ ଲୁହା କାରଖାନା, ପେଲେଟ୍ କାରଖାନା ଭଳି କାରଖାନା ପ୍ରତିଷ୍ଠା କରିଥିବା କମ୍ପାନୀଗୁଡ଼ିକ ପାଇଁ ସଂରକ୍ଷିତ ରହିଛି ।

୨୦୧୫ର ମାଇନସ ଓ ମିନେରାଲସ ଡେଭଲପମେଂଟ୍ ରେଗୁଲେସନ୍ ରୁଲସ ବା ଏମଏମଡିଆର ରୁଲସରେ ସଂଶୋଧନ ପାଇଁ ପ୍ରାୟ ବର୍ଷେ ବିଳମ୍ବ ହୋଇଥିବାରୁ ଇ-ନିଲାମ ମଧ୍ୟ ବିଳମ୍ବ ହୋଇଛି । ପରିବର୍ତିତ ସଂଶୋଧନ କାରଣରୁ ଏବେ ଜଣେ ଖଣି ଲିଜଧାରୀ ୧୦ ବର୍ଗ କିଲୋମିଟର ଅଂଚଳ ପରିବର୍ତେ ୫୮ ବର୍ଗ କିଲୋମିଟର ପର୍ଯ୍ୟନ୍ତ ଲିଜ୍ ପାଇପାରିବେ । ଓଡ଼ିଶା ସରକାର ୧୪ ତାରିଖରେ ଆଉ ୧୦ଟି ଖଣି ନିଲାମ ପାଇଁ ବିଜ୍ଞପ୍ତି ଜାରି ହେବାର ସମ୍ଭାବନା ରହିଛି । ପୂର୍ବରୁ ରାଜ୍ୟ ସରକାର ୩ଟି କ୍ରୋମାଇଟ୍ ଖଣିର ଇ-ନିଲାମ କରିଥିଲେ ।