୧୪ ବର୍ଷରେ ୩୧ ଜଣ ବାବୁଙ୍କ ବିରୋଧରେ ଭିଜିଲାନ୍ସ କେସ୍, ମାତ୍ର ୨ ଦୋଷୀ ସାବ୍ୟସ୍ତ । ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମିଳିବାକୁ ଲାଗିଲା ୫ ବର୍ଷ

278

କନକ ବ୍ୟୁରୋ: ୨୦୦୦ରୁ ୨୦୧୪ ମସିହାରେ କେତେ ଆଇଏଏସ୍ ଅଫିସରଙ୍କ ବିରୋଧରେ ଭିଜିଲାନ୍ସ କେସ୍ ହୋଇଛି ଓ ତାର ସ୍ଥିତି କଣ? ୫-ଟିକୁ କାର୍ଯ୍ୟକାରୀ କରିବାକୁ ସରକାର ଜୋର ଦେଉଥିବା ବେଳେ ଆଇଏଏସ୍ ଅଫିସରଙ୍କ ଉପରେ ଚାଲିଥିବା ଭିଜିଲାନ୍ସ ମାମଲାର ସ୍ଥିତି ଜାଣିବା ପାଇଁ ଲାଗିଲା ୫ ବର୍ଷ । ଶେଷରେ ସୂଚନା ଅଧିକାର ବଳରେ ଜଣାପଡ଼ିଲା, ସେହି ୧୪ ବର୍ଷରେ ୩୧ ଆଇଏଏସଙ୍କ ବିରୋଧରେ ଭିଜିଲାନ୍ସ କେସ୍ ହୋଇଥିବା ବେଳେ ମାତ୍ର ୨ ଜଣ ଦୁଇଟି କେସରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ବର୍ଷ ବର୍ଷ ଧରି ଚାଲିଛି କେସ୍ । ମାମଲା ପରିଚାଳନାରେ ତତ୍ପରତା ଦେଖାଉନାହାନ୍ତି ସରକାର ।

ସୂଚନା ଅଧିକାର ଆଇନ ବଳରେ ଏ ନେଇ ରିପୋର୍ଟ ମଗା ଯାଇଥିଲା । ହେଲେ ଉତର ମିଳିଲା ୨୦୧୯ରେ । ଏହାରି ଭିତରେ କିଛି ଅଧିକାରୀ ଅବସର ନେଇଛନ୍ତି, ଆଉ କେତେ ଜଣ ଚାକିରି ଶେଷ ପର୍ଯ୍ୟାୟରେ ପହଁଚିଛି । ଆରଟିଆଇ ତଥ୍ୟ କହୁଛି ୨୦୦୦ ମସିହାରୁ ୨୦୧୪ ମସିହା ଭିତରେ ଦୁର୍ନୀତି ଅଭିଯୋଗରେ ରାଜ୍ୟରେ ୩୧ଜଣ ଆଇଏଏସଙ୍କ ବିରୋଧରେ ଭିଜିଲାନ୍ସ ମାମଲା ହୋଇଛି । ସେଥିରୁ ମାତ୍ର ୨ ଜଣ ଦୁଇଟି ମାମଲାରେ ଦଣ୍ଡିତ ହୋଇଛନ୍ତି ।

ଆୟ ବହିର୍ଭୂତ ସମ୍ପତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସଂଜୀବ ରାୟ । ୨୦୦୧ରେ ଭିଜିଲାନ୍ସ ମାମଲା ହୋଇଥିଲା ୧୦ ବର୍ଷ ପରେ ସେ ଦଣ୍ଡିତ ହୋଇଥିଲେ । ସରକାର ତାଙ୍କର ଗଣ୍ଡମୁଣ୍ଡାରେ ଥିବା ଦୁଇ ମହଲା ଘରକୁ ଜବତ କରି ହୋମିଓପାଥି ଡିସପେନ୍ସରୀ କରିଦେଇଥିଲେ । ଅନ୍ୟଜଣେ ହେଲେ ଆଇଏଏସ୍ ବିନୋଦ କୁମାର । ସେ ଓଡ଼ିଶା ଗ୍ରାମ୍ୟ ଗୃହ ବିକାଶ ନିଗମ ବା ଓଆରଏଚଡିସିରେ ଏମ୍ଡି ଥିବା ବେଳେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ପାଇଁ ଦଣ୍ଡିତ ହୋଇଥିଲେ । ୨୦୦୬-୦୭ରେ ତାଙ୍କ ନାଁରେ ଭିଜିଲାନ୍ସ ମାମଲା ହୋଇଥିବା ବେଳେ ତାଙ୍କୁ ୨୦୧୮ରେ ସେ ଦଣ୍ଡିତ ହୋଇଥିଲେ ।

ଅନେକଙ୍କ କ୍ଷେତ୍ରରେ ତଦନ୍ତ ପରେ ୧୦ରୁ ଅଧିକ ବର୍ଷ ହେଲା ମାମଲାର ଫାଇନାଲ୍ ରିପୋର୍ଟ କିମ୍ବା ଚାର୍ଜସିଟ୍ କୋର୍ଟରେ ପଡ଼ି ରହିଛି । ନା ମାମଲା ଆଗକୁ ବଢ଼ୁଛି, ନା ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ଏପରିକି ସୂଚନା ଅଧିକାର ଆଇନରେ ତଥ୍ୟ ମିଳିବା ମଧ୍ୟ ସହଜ ହେଉନାହିଁ । ସବୁଠାରୁ ବଡ଼ କଥା ହେଲା, ସରକାର ୫-ଟି କଥା କହୁଥିବା ବେଳେ ସ୍ୱଚ୍ଛତା ଓ ସମୟ ଉପରେ କେତେ ଗୁରୁତ୍ୱ ଦେଉଛନ୍ତି ତାହା ଏଥିରୁ ଜଣାପଡ଼ୁଛି ।