ଓଡ଼ିଶାରେ ପଡ଼ିଲା କି ମାନ୍ଦାବସ୍ଥାର ପ୍ରଭାବ? ପୂଜା ବୋନସ ବଦଳରେ ୩୦୦ ଜଣଙ୍କ ଚାକିରି ଗଲା, ଧାରଣାରେ ବସିଲେ ଶ୍ରମିକ ।

1,418

କନକ ବ୍ୟୁରୋ : ଦଶହରାରେ ବିଭିନ୍ନ କମ୍ପାନିର କର୍ମଚାରୀ ବୋନସ୍ ପାଇ ଉତ୍ସବ ମନାଉଥିବା ବେଳେ ଚାକିରି ହରେଇବା ଅ।।ଶଙ୍କାରେ ୩୦୦ରୁ ଅଧିକ କର୍ମଚାରୀ । ଏମିତି ଘଟଣା ଘଟିଛି ଯାଜପୁର ଜିଲା କାଳିଆପାଣିସ୍ଥିତ ଓଟୱାଲ କମ୍ପାନୀରେ । କମ୍ପାନୀ କ୍ଷତି ଦର୍ଶାଇ ସେପ୍ଟେମ୍ବର ମାସ ପହିଲାରୁ ଲକ୍ ଆଉଟ ନୋଟିସ୍ ଜାରି କରଛିି । ଫଳରେ ଏବେ ନିଜ ଚାକିରି ବଞ୍ଚାଇବାକୁ ଏହି ଶ୍ରମିକ ମାନେ କମ୍ପାନି କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ।

କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ କର୍ମଚାରୀ । ସତେ ଯେମିତି ଏମାନଙ୍କ ପାଇଁ ଫିକା ପଡିଯାଇଛି ପାର୍ବଣ । ବର୍ଷ ବର୍ଷ ଧରି ୩୦୦ରୁ ଅଧିକ ଶ୍ରମିକ ଯେଉଁ କମ୍ପାନୀ ପାଇଁ କାମ କରିଆସୁଥିଲେ, ଏବେ କଂପାନୀ ଦେଇଥିବା ଲକ୍ ଆଉଟ୍ ନୋଟିସ ସେମାନଙ୍କ ଭାଗ୍ୟ ଓ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନ ଛିଡା କରିଦେଇଛି । ଟିସ୍କୋ ମାଇନ୍ସ ଅଧୀନରେ ମାଟି ଖୋଳିବା କାମ କରୁଥିବା ଜି.ଏସ୍. ଅଟୱାଲ୍ ଆଣ୍ଡ କମ୍ପାନୀ, ବିଭିନ୍ନ ସମୟରେ ତାର କର୍ମଚାରୀଙ୍କୁ ଅନ୍ୟ ଖଣି ଅଂଚଳରେ ମଧ୍ୟ କାମ କରାଉଥିଲା । କିନ୍ତୁ ଏବେ ରାତି ଅଧିଆ କମ୍ପାନୀ ବନ୍ଦର ନୋଟିସକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଏହି ଶ୍ରମିକ । ଲକ୍ ଆଉଟ୍ ନୋଟିସର ପୁନଃବିଚାର କରିବା ସହ ଦରମା, ବୋନସ ଦାବି କରିଛନ୍ତି ଏମାନେ । ଦାବି ପୂରଣ ନହେଲେ ପରିବାର ସହ ଆତ୍ମାହୂତିର ଧମକ ମଧ୍ୟ ଦେଇଛନ୍ତି ।

ଏପଟେ ଏହି ପରିସ୍ଥିତି ପାଇଁ ଆର୍ଥିକ ଦୁରାବସ୍ଥାକୁ ଦାୟୀ କରିଛନ୍ତି କମ୍ପାନୀ କର୍ତୃପକ୍ଷ । ଟାଟା କମ୍ପାନୀ ଚାହିଁଲେ କିମ୍ବା ଆର୍ଥିକ ଅନୁଦାନ ଦେଲେ ସମସ୍ୟାର ସମାଧାନ ହେଇପାରିବ ବୋଲି କହି ହାତ ଟେକି ଦେଇଛନ୍ତି । ଏବେ ଏହି ଶ୍ରମିକଙ୍କ ରୋଜଗାରର ବାଟ ବନ୍ଦ ହୋଇଯାଇଛି । ତେଣୁ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରିବା ପାଇଁ ଦାବି ଜୋର ଧରିଛି ।