ଶୀତରେ ଥରୁଛି ସାରା ରାଜ୍ୟ । ଖସୁଛି ପାରଦ, ବଢୁଛି ଥଣ୍ଡା । ଫୁଲବାଣୀରେ ୬ଡିଗ୍ରିକୁ ଖସିଲା ପାରଦ
୧୦ ଦିନ ପରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିକୁ ଖସି ଆସିଛି
ଲୁଚକାଳି ଖେଳୁଛି ଶୀତ । ଗତ କିଛି ଦିନ ହେଲା ରାଜ୍ୟରେ ପାରଦ ଊର୍ଧ୍ବମୁଖା ଥିବା ବେଳେ ଏବେ ପୁଣି ଥଣ୍ଡା ବଢ଼ିବା ଆରମ୍ଭ ହୋଇଛି। ପାଖାପାଖି ୧୦ ଦିନ ପରେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରିକୁ ଖସି ଆସିଛି । ଖାଲି ଫୁଲବାଣୀ ନୁହେଁ, ଆଉ ୪ ସହରର ତାପମାତ୍ରା ମଧ୍ୟ ୧୦ ଡିଗ୍ରି ତଳେ ରହିଛି। ଗତ ୨୪ ଘଣ୍ଟାରେ ଆଭ୍ୟନ୍ତର ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ୩ରୁ ୪ଡିଗ୍ରି ଖସିଥିବା ବେଳେ ଉପକୂଳରେ ୧ ଡିଗ୍ରି କମିଛି। ତେବେ ଏପରି ସ୍ଥିତି ବେଶି ଦିନ ପର୍ଯ୍ୟନ୍ତ ଲାଗି ରହିବ ନାହିଁ। ୧୮ ତାରିଖରୁ ପୁଣି ରାଜ୍ୟକୁ ପୂର୍ବାପବନର ପ୍ରବାହ ବଢ଼ିବ ଓ ତାପମାତ୍ରାରେ ବୃଦ୍ଧି ଦେଖାଯିବ। ଫଳରେ ଥଣ୍ଡା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରର ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ରାଜ୍ୟର ସବୁ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା। ଉପକୂଳ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ପଡ଼ିଥିଲା। କେନ୍ଦୁଝର, ଅନୁଗୁଳ, ମାଲକାନଗିରି ଓ କୋରାପୁଟ ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ବି କୁଡୁଡ଼ି ଦେଖିବାକୁ ମିଳିଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଫୁଲବାଣୀଠାରେ ୬ଡିଗ୍ରି ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୭.୪ ଡିଗ୍ରି, ଦାରିଙ୍ଗବାଡ଼ି ୮.୫ ଡିଗ୍ରି, ସୁନ୍ଦରଗଡ଼ ୯.୦ ଡିଗ୍ରି ଓ ବଲାଙ୍ଗୀରରେ ୧୦ ଡିଗ୍ରି ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି। ଅନ୍ୟପଟେ ଝାରସୁଗୁଡ଼ାରେ ଶୀତ ଲହରି ପୁଣି ଫେରିଛି। ଏଠାରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି।