ଧରାପଡିଲା ନିଲ୍ଲଜ ପଣିଆ, କଥା ଦେଇ କଥା ରଖିଲାନି ପାକିସ୍ତାନ ! ସ୍ୱାମୀ କୁଲଭୂଷଣଙ୍କୁ ଭେଟିବାକୁ ଯାଇଥିବା ସ୍ତ୍ରୀଙ୍କ ବେକରୁ ଓହ୍ଲାଇଦେଲା ମଙ୍ଗଳସୂତ୍ର, ମଥାରୁ ବିନ୍ଦି

42

କନକ ବ୍ୟୁରୋ : ପାକିସ୍ତାନ କଥା ଦେଇଥିଲା, ହେଲେ କଥା ରଖିଲାନି । କୁଲଭୂଷଣଙ୍କ ସହ ମାଆ ଓ ପତ୍ନୀଙ୍କୁ ସାକ୍ଷାତ କରାଇ ମାନବିକ ଅଧିକାର କଥା କହିଥିଲା ପାକିସ୍ତାନ । ତେବେ ସେମାନଙ୍କ ସହ ଯେପରି ବ୍ୟବହାର ଦେଖାଇବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା, ତାହା ପାଳନ କରିନାହିଁ ପାକିସ୍ତାନ । ବରଂ ସେମାନେ ପିନ୍ଧିଥିବା ବିନ୍ଦି, ମଙ୍ଗଳସୂତ୍ର ଖୋଲିବାକୁ କହି ଅନ୍ତର୍ଜାତୀୟ ନିୟମର ସବୁ ସୀମା ଟପିଯାଇଛି ପାକିସ୍ତାନ । କୁଳଭୂଷଣ ଯାଦବଙ୍କ ସହ ତାଙ୍କର ପତ୍ନୀ ଓ ମାଆଙ୍କ ସାକ୍ଷାତ ପାଇଁ ଅନୁମତି ଦେଇ ଅନ୍ତର୍ଜାତୀୟ ସ୍ତରରେ ବାହାବା ନେବାକୁ ଚାହୁଁଥିବା ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି ।

ମାନବିକ ଅଧିକାରର ଦ୍ୱାହି ଦେଇ କିପରି ପାକିସ୍ତାନ ମାନବିକ ଅଧିକାରକୁ ଦଳିମକଚି ଦେଇଥିଲା, ତାହା ସାମନାକୁ ଆସିଛି । ତେବେ ସମ୍ପୂର୍ଣ୍ଣ ଘଟଣା କଏଦ ହୋଇଛି ଦୁଇଟି ଫଟୋରେ । ଗୋଟିଏରେ କୁଳଭୂଷଣଙ୍କ ମାଆ ଓ ପତ୍ନୀ ପାକିସ୍ତାନରେ ପହଁଚିବାର ଦୃଶ୍ୟ ଦେଖିବା ପାଇଁ ମିଳିଛି । ଆଉ ଅନ୍ୟ ଫଟୋରେ କୁଳଭୂଷଣଙ୍କ ସହ ସେମାନଙ୍କ କଥାବାର୍ତ୍ତାର ଚିତ୍ର । ଆଲୋଚନା ବେଳେ ଦୁଇ ମହିଳାଙ୍କୁ ସେମାନେ ପିନ୍ଧିଥିବା ବିନ୍ଦି ଓ ମଙ୍ଗଳସୂତ୍ରକୁ ଖୋଲିବାକୁ କୁହାଯାଇଥିଲା । ପ୍ରଥମେ କାଚ ଏପଟ ସେପଟରେ ସାକ୍ଷାତ ଓ ଆଲୋଚନା ପାଇଁ ବ୍ୟବସ୍ଥା । ପରେ କୁଳଭୂଷଣଙ୍କ ପତ୍ନୀ ଓ ମାଆଙ୍କୁ ଟିକିନିକି ଯାଂଚ ଓ କଡ଼ା ସୁରକ୍ଷା ବଳୟରେ ନିଆଯାଇଥିଲା ।

ଏହା ପରେ ବିନ୍ଦି ଓ ମଙ୍ଗଳସୂତ୍ର ଆଦି ଖୋଲି ଦେବାକୁ କହିବା ଦୁଇ ପକ୍ଷ ମଧ୍ୟରେ ଏ ନେଇ ହୋଇଥିବା ବୁଝାମଣାକୁ ପାକିସ୍ତାନ ଉଲଂଘନ କରିଛି ବୋଲି ଅଭିଯୋଗ କରିଛି ଭାରତ । ଏପରିକିି କୁଳଭୂଷଣଙ୍କ ମାଆଙ୍କୁ ମାତୃଭାଷାରେ କଥାବାର୍ତ୍ତା ହେବାକୁ ବାରଣ କରିଥିଲେ ପାକିସ୍ତାନ କର୍ତ୍ତୃପକ୍ଷ । ଯାଦବଙ୍କ ପତ୍ନୀ ଚେତନକୁଲ୍ ଏବଂ ମାଆ ଅବନ୍ତୀ ପାକିସ୍ତାନରୁ ଫେରିବା ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ସୂଚନା ଅନୁସାରେ ପାକିସ୍ତାନରେ କିପରି ସେମାନଙ୍କ ସହ ବ୍ୟବହାର କରାଯାଇଥିଲା, ଟିକିନିକି ପଚାରି ବୁଝଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ ।