ଆସନ୍ତା କାଲି ମହାମାରୀ ବିରୋଧରେ ଆରମ୍ଭ ହେବ ମହାଯୁଦ୍ଧ । ଟିକା କରଣ ପାଇଁ ପୁରା ଦେଶ ପ୍ରସ୍ତୁତ । ଜାଣନ୍ତୁ କାହାକୁ ଦିଆଯିବ ପ୍ରଥମ ଟିକା

334

କନକ ବ୍ୟୁରୋ : କାଲି ଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନାକୁ ପ୍ରତିହତ କରିବାକୁ ଟିକାକରଣ । ଏନେଇ ସାରା ଦେଶବାସୀ ଉତ୍ସୁକତାର ସହ ଅନାଇ ବସିଛନ୍ତି ଆସନ୍ତା କାଲିକୁ । ଆସନ୍ତା କାଲି ପ୍ରଥମପର୍ଯ୍ୟାୟ ଟିକା କରଣ ଆରମ୍ଭ ହେବାକୁ ଯାଉଥିବା ବେଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ମୁତାବକ ପ୍ରଥମେ ଆଗ ଧାଡିର କରୋନା ଯୋଦ୍ଧା ମାନଙ୍କୁ ଟିକା ଦିଆଯିବ । ଏହି ଟିକା କରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ଆସନ୍ତା କାଲି ଟିକାକରଣ ହେବାକୁ ଥିବା ବେଳେ ପ୍ରଥମ ଟିକା କାହା ଦେହରେ ଲଗାଯିବ ସେ ନେଇ ସୂଚନା ମିଳିଛି ।
ସୂଚନା ମୁତାବକ ଏହି ଟିକା ପ୍ରଥମେ ମଧ୍ୟପ୍ରଦଶେ ଭୋପାଳର ହରିଦେବ ନାମକ ଜଣେ ବ୍ୟକ୍ତିଙ୍କୁ ଦିଆଯିବ । ଯେ, କି ଭୋପାଳ ସ୍ଥିତ ଜେ.ପି ହସ୍ପିଟାଲରେ ଜଣେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି । ଏନେଇ ହରିଦେବ ତାଙ୍କ ପରିବାର ଲୋକଙ୍କୁ ମନାଇ ସାରିଛନ୍ତି । ହରିଦେବ କହିଛନ୍ତି କି ସର୍ବ ପ୍ରଥମେ ମୋ ଦେହରେ ଟିକା ଲଗାଯିବା ନେଇ ମୁଁ ବହୁତ ଖୁସି ଅଛି । ଏହାସହ ଯେବେ ଟିକା ନେବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା କରିବି ତେବେ ମୋ ଖୁସି ଦ୍ୱିଗୁଣିତ ହୋଇଯିବ ।
କହିରଖୁ କି ମଧ୍ୟପ୍ରଦେଶରେ ଆସନ୍ତାକାଲି ସକାଳ ୯ ଟାରୁ ଟିକାକରଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଏହି ଟିକା ଆଗଧାଡିର କରୋନା ଯୋଦ୍ଧା, ସଫେଇ କର୍ମଚାରୀ, ପୋଲିସକର୍ମୀ, ଓ ରାଜସ୍ୱ ବିଭାଗର କର୍ମଚାରୀଙ୍କୁ ଦିଆଯିବ । ଏନେଇ ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି  । ଟିକାକରଣ ନେଇ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ଗୁରୁବାର ଦିନ ନ୍ୟାସନାଲ ହେଲ୍ଥ ମିଶନର ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହାସହ କିଭଳି ସୁରୁଖୁରୁ ରେ ଟିକାକରଣ ହେବ ସେ ନେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ସବୁ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି । ଆଲୋଚନା ପରେ ଶିବରାଜ୍ କହିଛନ୍ତି କି ଟିକା କେନ୍ଦ୍ରସରକାରଙ୍କ ନିର୍ଦ୍ଦେଶ ମୁତାବକ ଦିଆଯିବ । ଏଠାରେ ମୋ ସୁପାରିଶ ବି କାମ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।  ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସଫଳ ଟିକାକରଣ ପାଇଁ ସମାଜସେବୀ, ଜନପ୍ରତିନିଧି ଓ ଗଣମାଧ୍ୟମକୁ ସହାୟତାର ହାତ ବଢାଇବାକୁ ଅନୁରୋଧ କରିଛନ୍ତି ।