ଗଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ଟ୍ରାକ୍ଟର ଶୋଭାଯାତ୍ରା କରିବେ ଆନ୍ଦୋଳନରତ କୃଷକ । ହରିଆଣା ଓ ପଞ୍ଜାବର ସମସ୍ତ ବିଧାୟକ ଓ ସାଂସଦଙ୍କୁ ପଦ ତ୍ୟାଗ କରିବାକୁ ଅନୁରୋଧ । ପ୍ୟାରେଡରେ ସାମିଲ ହେବ ୨ ଲକ୍ଷ ଟ୍ରାକ୍ଟର

162

କନକ ବ୍ୟୁରୋ : ଆସନ୍ତା ସାଧାରଣତନ୍ତ୍ର ଦିବସରେ ସେନା ସହ ସମାନ୍ତରାଳ ଭାବେ ପ୍ୟାରେଡ କରିବେ ଆନ୍ଦୋଳନରତ କୃଷକ ମାନେ । ଏନେଇ ଟ୍ରାକ୍ଟର ତଥା ତ୍ରିରଙ୍ଗା ଶୋଭାଯାତ୍ରା କରିବାକୁ କୃଷକ ମାନଙ୍କ ତରଫରୁ ପ୍ରସ୍ତୁତି ଜୋର ଧରିଛି । ଏହି ପ୍ୟାରେଡ ବା ତ୍ରିରଙ୍ଗା ଶୋଭାଯାତ୍ରାରେ ପାଖା ପାଖି ୨ ଲକ୍ଷ ଟ୍ରାକ୍ଟର ଅଂଶଗ୍ରହଣ କରିବ ବୋଲି ସୂଚନା ମିଳିଛି । ଏହି ଶୋଭାଯାତ୍ରା ବେଳେ ଯଦି ସରକାରଙ୍କ ତରଫରୁ ଶୋଭାଯାତ୍ରାକୁ ରୋକିବାକୁ ପିଲେଟ୍ ବନ୍ଧୁକ, ଲୁହବୁହା ଗ୍ୟାସ ଓ ପାଣିମାଡ କରାଯାଏ ତାହେଲେ ତାହାର ସୁରକ୍ଷା ପାଇଁ ଏହିସବୁ ଟ୍ରାକ୍ଟରରେ ଆବଶ୍ୟକ ବ୍ୟବସ୍ଥା କରାଯାଉଥିବା ଦେଖିବାକୁ ମିଳିଛି ।

ଏହି ତ୍ରିରଙ୍ଗା ଯାତ୍ରାରେ ଯେଉଁମାନେ ଅଂଶଗ୍ରହଣ କରିବେ ସେମାନଙ୍କ ନାମ ଓ ଟ୍ରାକ୍ଟରକୁ ତାଲିକାଭୂକ୍ତ କରାଯାଉଛି । ଏନେଇ ପଞ୍ଜାବ ଓ ହରିଆଣାରେ ପ୍ରସ୍ତୁତିକୁ ଜୋରଦାର କରାଯାଇଛି । ଏହି ଶୋଭାଯାତ୍ରା ସମୟରେ ସରକାର କୃଷକ ମାନଙ୍କ ଉପରେ ଆକ୍ରମଣ କରିବା ନେଇ ଆଶଂକା ଥିବାରୁ କୃଷକ ମାନେ ଏହାକୁ ସାମ୍ନା କରିବାକୁ ପ୍ରସ୍ତୁତ ବୋଲି କୃଷକ ନେତା ମାନେ କହିଛନ୍ତି । ସେମାନେ କହିଛନ୍ତି କି ମାଟି ପାଇଁ ବଞ୍ଚିଛୁ ଦରକାର ପଡିଲେ ସେହି ମାଟିର ହକ୍ ପାଇଁ ଆମେ ମାଟିରେ ମିଶିଯିବୁ ହେଲେ ସରକାର କଳା ଆଇନକୁ ପ୍ରତ୍ୟାହାର କରିବା ପର୍ଯ୍ୟନ୍ତ ଲଢେଇ ଜାରି ରଖିବୁ । ଏହା ସହ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଉଥିବା ବିଧାୟକ ଓ ସାଂସଦ ମାନେ ତୁରନ୍ତ ପଦତ୍ୟାଗ କରନ୍ତୁ ବୋଲି କୃଷକ ନେତା ମାନେ ଆହ୍ୱାନ ଦେଇଛନ୍ତି  ।

କହିରଖୁ କି ଆଜି କୃଷକ ଆନ୍ଦୋଳନକୁ ୫୦ ଦିନ ପୁରିଛି । ଏହାରି ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ୮ ଥର ବୈଠକ ବସିଥିଲେ ବି କୌଣସି ନିଷ୍କର୍ସ ବାହାରି ପାରି ନାହିଁ । ଆଜି ପୁଣି ଥରେ ୯ମ ଥର ପାଇଁ ବୈଠକ ହେବ । ଏହି ବୈଠକରୁ କିଛି ନିଷ୍କର୍ସ ବାହାରିବା ଭଳି ଅନୁମାନ କରାଯାଉ ନାହିଁ । ଏହାର କାରଣ ସରକାର ସମ୍ପୁର୍ଣ୍ଣ ଆଇନକୁ ପ୍ରତ୍ୟାହାର କରିବାକୁ ମନା କରିଦେଇଥିବା ବେଳେ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର ନହେବା ଯାଏ କୃଷକ ମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ରୋକ୍ ଠୁକ୍ ଶୁଣାଇ ଦେଇଛନ୍ତି ।