କନକ ବ୍ୟୁରୋ : ସମର୍ଥନ ପାଇଁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରିଛନ୍ତି ମୋଦି । ସେହିପରି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ମଧ୍ୟ ଫୋନ କରି କୃତଜ୍ଞତା ଜଣାଇଛନ୍ତି । ତେବେ ସମର୍ଥନ ପରେ ଏହି ଧନ୍ୟବାଦର ପର୍ବକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ବିଜେଡି-ବିଜେପି ନିକଟତର ହେଉଥିବା ନେଇ ଜାତୀୟ ଗଣମାଧ୍ୟମରେ ଆଲୋଚନା ଚାଲିଛି । ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବା ନେଇ ଚର୍ଚ୍ଚା ଭିତରେ ଜାତୀୟ ରାଜନୀତିରେ ନବୀନଙ୍କ ଏହି ସମର୍ଥନ ଏକ ବିରାଟ ଦ୍ୱନ୍ଦ ତିଆରି କରିଛି । ଯାହା ତୃଣମୂଳ ସ୍ତରର ନେତାଙ୍କୁ ଅଡୁଆ କରିବା କୁହାଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଫୋନ କରି ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ଏନଡିଏ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିବାବେଳେ ତାଙ୍କ ସପକ୍ଷରେ ଭୋଟ୍ ଦେଇଥିଲେ ବିଜେଡିର ସମସ୍ତ ୯ଜଣ ସାଂସଦ । ଯେଉଁଥିପାଇଁ ୧୨୫ ଭୋଟ୍ ସହ କଂଗ୍ରେସ ପ୍ରାର୍ଥୀ ବି.କେ. ହରିପ୍ରସାଦଙ୍କୁ ହରାଇବାରେ ସମର୍ଥ ହେଲେ ହରିବଂଶ । ସେହିପରି ସମର୍ଥନ ପାଇଁ କୃତଜ୍ଞତା ଜଣାଇବାକୁ ଫୋନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ମିଳିତ ବିରୋଧୀ ମେଂଟର ପ୍ରାର୍ଥୀଙ୍କୁ ମାତ ଦେବା ଲାଗି ବିଜେପିକୁ ନବୀନଙ୍କ ସମର୍ଥନ ନିର୍ଣ୍ଣାୟକ ସାବ୍ୟସ୍ତ ହେଲା ବୋଲି ଜାତୀୟ ଗଣମାଧ୍ୟମ ଗୁଡିକରେ ଚର୍ଚ୍ଚା ହେଉଛି । ଯଦିଓ ବିଜେଡି ସ୍ପଷ୍ଟ କରିଛି ଯେ, ଜେପି ଆନ୍ଦୋଳନରୁ ଉଭୟ ଜେଡିୟୁ ଓ ବିଜେଡିର ସୃଷ୍ଟି ହୋଇଥିବାରୁ ଜେଡିୟୁ ସହ ଦଳର ବିଚାରଗତ ସଂପର୍କ ରହିଛି । ଏବଂ ସେଥିପଇଁ ଦଳ ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ କରିଛି । କିନ୍ତୁ ଏହା ବିଜେପିର ବିଜୟରେ ପ୍ରମୁଖ କାରଣ ପାଲଟିଲା ଏକଥାକୁ ମଧ୍ୟ ଅସ୍ୱୀକାର କରାଯାଇପାରିବ ନାହିଁ ।
ଜାତୀୟସ୍ତରର ଏକ ପ୍ରମୁଖ ପତ୍ରିକା ଆଉଟଲୁକରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ସମର୍ଥନ କରିବା ଲାଗି ନବୀନଙ୍କୁ ଫୋନ କରିିଥିଲେ ମୋଦି । ଏପରିକି ଗୋଟିଏ ମାସରେ ଏହା ତୃତୀୟ ଫୋନ୍ କଲ ଥିଲା ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ସେହିପରି ମିଡିଆ ରିପୋର୍ଟକୁ ଆଧାର କରି ଏହି ପତ୍ରିକା ଲେଖିଛି ଯେ, ଗତ ଜୁଲାଇରେ ନବୀନଙ୍କ ଭଉଣୀ ଗୀତା ମେହଟା ଓ ତାଙ୍କ ସ୍ୱାମୀ ସୋନି ମେହଟା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଥିଲେ । ଯାହା ଦିଲ୍ଲୀ ନେତାଙ୍କ ସହ ନବୀନ ନିକଟତର ହେଉଥିବା ନେଇ ଚର୍ଚ୍ଚାକୁ ବଢାଇ ଦେଇଥିଲା ବୋଲି କୁହାଯାଇଛି । ଉଭୟ ବିଜେପି ଓ କଂଗ୍ରେସଠାରୁ ସମଦୂରତା ରକ୍ଷା କରିଆସୁଥିବା ବିଜେଡି ଲୋକସଭାରେ ଅନାସ୍ଥା ଭୋଟରୁ ଦୂରେଇ ରହିଲା, ଯାହା ବିଜେପିକୁ ସୁହାଇଲା । ଆଉ ଏବେ ରାଜ୍ୟସଭାରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରି ଯେଉଁ ଦ୍ୱନ୍ଦ୍ୱ ତିଆରି କରିଛ,ି ତାର ପ୍ରଭାବ ୨୦୧୯ ସାଧାରଣ ନିର୍ବାଚନରେ ଅନୁଭୂତ ହେବ ବୋଲି ଆକଳନ କରାଯାଉଛି ।
ଅଥାର୍ତ ୨୦୧୯ରେ ସତ୍ତା ଦଖଲ ପାଇଁ ୨ଟି ରାସ୍ତାକୁ ଖୋଲା ରଖିଛନ୍ତି ଉଭୟ ଦିଲ୍ଲୀ ଆଉ ରାଜ୍ୟ ନେତା :
– ଯଦି କେନ୍ଦ୍ରରେ ସରକାର ଗଠନ ପାଇଁ ମୋଦିଙ୍କୁ ମେଂଟ କରିବାକୁ ପଡେ ତେବେ ବିଜେଡି ଏକ ପ୍ରମୁଖ ସହଯୋଗୀ ହେବ
– ଆଉ ରାଜ୍ୟରେ ଯଦି ବିଜେଡି ସଂଖ୍ୟା ଆବଶ୍ୟକ କରେ, ତେବେ ଦିଲ୍ଲୀରୁ ନିର୍ଦ୍ଦେଶ ରହିବ ବାହ୍ୟ ସମର୍ଥନ ପାଇଁ
– ମେଂଟ ପାଇଁ କଂଗ୍ରେସ ଓ ବିଜେପି ମଧ୍ୟରୁ ବିଜେଡିର ପସନ୍ଦ ବିଜେପି ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି
ଏନସିପିକୁ ସମର୍ଥନ ପାଇଁ ମନା କରିଦେଇ ଶେଷ ମୁହୂର୍ତରେ ଏନିଡିଏ ପ୍ରାର୍ଥୀଙ୍କୁ ବିଜେଡିର ସମର୍ଥନ ଜାତୀୟ ରାଜନୀତିକୁ ବି ହଲଚଲ କରିଦେଇଛି । କାରଣ ଜାତୀୟ ସ୍ତରରେ ସତା ବଜାୟ ରଖିବାକୁ ବିଜେପି ନୂଆ ସାଥୀ ଖୋଜୁଛି । ଆଉ ରାଜ୍ୟ ବିଜେପି ସହ ତମାମ ପ୍ରତିଦ୍ୱନ୍ଦିତା ଭିତରେ ନବୀନ କେନ୍ଦ୍ରୀୟ ନେତାଙ୍କ ନିକଟତର ହେବା ଚର୍ଚ୍ଚା ହେଉଛି । କଥା କଥାରେ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଉଥିବା ବିଜେଡି ଆବଶ୍ୟକ ବେଳେ ବିଜେପିକୁ ସମର୍ଥନ କରିବା ବିରୋଧୀଙ୍କୁ ସମାଲୋଚନା ପାଇଁ ଖୋରାକ ଯୋଗାଇଛି । ନବୀନଙ୍କୁ ହରାଇବା ପାଇଁ ଏନଡିଏ ଲକ୍ଷ୍ୟ ରଖିଥିବା ବେଳେ ଏନଡିଏ ପ୍ରାର୍ଥୀଙ୍କୁ ଜିତାଇ ବିଜେଡି ନିଜ ଗୋଡରେ ନିଜେ କୁରାଢୀ ମାରୁଛି ବୋଲି ଟ୍ୱିଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ । ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ମଧ୍ୟ ସହଭାଗିତା ପାଇଁ ସାଲିସର କଥା ଉଠାଇ ସମାଲୋଚନା କରିଛନ୍ତି ।