ରାଜ୍ୟର ୬ ଜିଲ୍ଲାରେ ବଢିଛି ସାପ୍ତାହିକ ସଂକ୍ରମଣ । ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଉପରେ ବି ନଜର ରଖିବାକୁ କେନ୍ଦ୍ରର ପରାମର୍ଶ

198

କନକ ବ୍ୟୁରୋ: କରୋନା ସଂକ୍ରମଣ ବଢୁଥିବା ନେଇ ରାଜ୍ୟ ସରକାରଙ୍କୁ ସତର୍କ କରିଛି କେନ୍ଦ୍ର । ଗତ ସପ୍ତାହେ ହେବ ଓଡ଼ିଶାର ୬ ଟି ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସତର୍କ କରିଛି । ଏହି ୬ ଟି ଜିଲ୍ଲା ହେଉଛି ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ଅନୁଗୋଳ, ବଲାଙ୍ଗୀର ।

ତେବେ ଏହି ୬ ଜିଲ୍ଲାକୁ ଛାଡି ଖୋର୍ଦ୍ଧା ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ ୯ଶହ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳରେ ୬୯, କନ୍ଧମାଳରେ ୭, ନବରଙ୍ଗପୁରରେ ୫, କେନ୍ଦୁଝରରେ ୨୩, ଅନୁଗୋଳରେ ୩୯ ଓ ବଲାଙ୍ଗୀରରେ ୧୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ହାର କ୍ରମାଗତ ଭାବେ ଅଧିକ ରହିଛି । ହେଲେ ଅନ୍ୟ ୬ ଟି ଜିଲ୍ଲାରେ ଗତ ସପ୍ତାହ ମଧ୍ୟରେ ସଂକ୍ରମଣ ବଢିଥିବା ନେଇ ସତର୍କ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖି ଅବଗତ କରିଛନ୍ତି ।

ଓଡ଼ିଶାରେ ଗତ ମାସେ ମଧ୍ୟରେ ୭ ହଜାର ୪୪୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ଦେଶର ସଂକ୍ରମଣର ୨.୫ ପ୍ରତିଶତ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସଂକ୍ରମଣ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର କୋଭିଡ କଟକଣା କଡାକଡି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।