ବଂଚି ଥାଉ ଥାଉ ମାରିଦେଲା ଖାଦ୍ୟ ଯୋଗାଣ ବିଭାଗ: ଜୀବିତ ହିତାଧିକାରୀଙ୍କୁ ମୃତ ଦର୍ଶାଇ ତାଲିକାରୁ କାଟିଦେଲେ ନାଁ

137

କନକ ବ୍ୟୁରୋ: ଜିଲ୍ଲା ଯୋଗାଣ ବିଭାଗର ଖାମଖିଆଲି ମନଭାବ ଯୋଗୁଁ ଜଣେ ଜୀବିତ ମହିଳାଙ୍କୁ ମୃତ ଦର୍ଶାଇ ଖାଦ୍ୟ ସୁରକ୍ଷା ଲିଷ୍ଟରୁ ନାଁ କାଟିଦେଇ ୩୫ କିଲୋ ଚାଉଳ ଦେବା ବନ୍ଦ କରିଦେଲେ । ମହିଳା ଜଣକ ୬ ମାସ ହେଲା ଚାଉଳ ନପାଇ ହଇରାଣ ହଉଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡ ପାଇବାରୁ ବଚିଂତ ହୋଇଥିବା ଅଭିଯୋଗ ହୋଇଛି ।

ମାସେ ଦୁଇ ମାସ ନୁହେଁ, ୬ ମାସ ହେଲା, ପିଡିଏସ ଚାଉଳ ପାଉନାହାନ୍ତି ହିତାଧିକାରୀ । ରାୟଗଡା ଜିଲ୍ଲାରୁ ଆସିଛି ଏମିତି ଅଭିଯୋଗ । ଅଭିଯୋଗ ଅନୁସାରେ, କୋଲନରା ବ୍ଳକ ମେଦିରି ସାହିର ୬୦ ବର୍ଷିୟା ଏମ୍. ନାରାୟଣା ଆମାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କୁ ବିଧବା ଭତା ସହ ୩୫ କିଲୋ ଚାଉଳ ମିଳୁଥିଲା । ହେଲେ ୬ ମାସ ହେଲା ସେତକ ଆଉ ମିଳୁନାହିଁ । କାରଣ ଯୋଗାଣ ବିଭାଗ ତାଙ୍କୁ ମୃତ ଦର୍ଶାଇ ଖାଦ୍ୟ ଯୋଗାଣ ତାଲିକାରୁ ତାଙ୍କ ନାମ କାଟି ଦେଇଛନ୍ତି ।

୯ ମାସ ତଳେ ଏମ୍.ନାରାୟଣା ଆମା ନାମକ ଆଉ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ତକ୍ରାଳୀନ ଏମ୍ଆଇ ଜୀବିତ ଏମ୍. ନାରାୟଣା ଆମାଙ୍କୁ ମୃତ ଦର୍ଶାଇ ରାସନ କାର୍ଡ କାଟି ଦେଇଥିବା ଅଭିଯୋଗ ହୋଇଛି । ତେଣୁ ୬ ମାସ ହେଲା ପିଡିଏସ ସାମଗ୍ରୀ ମିଳୁନି । ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିବାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି ଅଭିଯୋଗକାରୀ । କିନ୍ତୁ କେହି ତାଙ୍କ କଥା ଶୁଣୁନାହାନ୍ତି । ରାସନ କାର୍ଡରୁ ନାଁ କଟି ଯାଇଥିବାରୁ ଏମ୍. ନାରାୟଣା ଆମା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇବାରୁ ବଚିଂତ ହୋଇଛନ୍ତି ।

ସେପଟେ କାର୍ଡରୁ ନାଁ କଟିବା ନେଇ ଜାଣିନଥିବା କହିଛନ୍ତି ବର୍ତମାନର ଏମ୍ଆଇ ଅନୀଲ କୁମାର ଗମାଙ୍ଗୋ । ଜୀବିତ ହିତାଧିକାରୀଙ୍କୁ ମୃତ ଦର୍ଶାଇ ସରକାରୀ ଯୋଜନାରୁ ବଚିଂତ କରାଯାଇଥିବାରୁ ଏହାର ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।