୧୧ ପର୍ଯ୍ୟନ୍ତ ବର୍ଷାରୁ ନାହିଁ ନିସ୍ତାର ! କିଛି ସ୍ଥାନରେ ବଢିପାରେ ପବନର ବେଗ

3,505

କନକ ବ୍ୟୁରୋ : ଦୁଇ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ ହେଉଥିବା ଅଦିନିଆ ବର୍ଷା ଆହୁରି ପ୍ରାୟ ୫ ଦିନ ଲାଗି ରହିବ । ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅଳ୍ପେ ବହୁତେ ବର୍ଷା ହେବାର ସମ୍ଭାବନା ରହିଛି। ୭ ତାରିଖରେ ରାଜ୍ୟର ଅର୍ଧାଧିକ ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖଠାରୁ ସାମାନ୍ୟ କମିବାକୁ ଥିଲେ ମଧ୍ୟ ୧୦ ତାରିଖଠାରୁ ପୁଣିଥରେ ବର୍ଷା ବଢ଼ିବ। ସ୍ଥାନେ ସ୍ଥା‌ନେ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।

ପାଣିପାଗ କେନ୍ଦ୍ର ଆକଳନ କରିଛି ଯେ ୭ ତାରିଖ ମଧ୍ୟାହ୍ନ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ନୟାଗଡ଼, ବୌଦ୍ଧ, ଖୋର୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ଝଡ଼ବର୍ଷା ହେବ। ବିଶେଷକରି ରାତି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବ‌େଗରେ ପବନ ବହିବା ସହ ତୁହାକୁ ତୁହା ବର୍ଷା ହୋଇପାରେ। ଏଥିସହ ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶନିବାର ଅପରାହ୍ନଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ବର୍ଷା କମିବ। ତେବେ ୮ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାର କେତେକ ସ୍ଥାନରେ ଝଡ଼ବର୍ଷା ହୋଇପାରେ। ଏହାପରେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି କୁହାଯାଇଛି।

୮ ତାରିଖ ମଧ୍ୟାହ୍ନଠାରୁ ୯ ତାରିଖ ସକାଳ ପର୍ଯ୍ୟନ୍ତ ପାଗରେ ସାମାନ୍ୟ ପରିବର୍ତନ ଆସିଲେ ମଧ୍ୟ ଗଞ୍ଜାମ, ପୁରୀ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ କୁଆପଥର ପଡ଼ିପାରେ। ତେବେ ୧୦ ତାରିଖ ପୂର୍ବାହ୍ନ ଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ ଅପରାହ୍ନଠାରୁ ପୁଣିଥରେ ବର୍ଷା ବଢ଼ିବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି।