ରାଷ୍ଟ୍ରପତିଙ୍କ ବିରୋଧରେ ବିବାଦୀୟ ବୟାନକୁ ବିଭିନ୍ନ ଦଳର ବିରୋଧ। ବିଜେପି ମହିଳା ମୋର୍ଚ୍ଚାର ପ୍ରତିବାଦ। ବିଜେଡି, କଂଗ୍ରେସ ବି କଲେ ନିନ୍ଦା।

78

କନକ ବ୍ୟୁରୋ: ଓଡିଆ ଝିଅ ତଥା ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଶ୍ଚିମବଙ୍ଗର ମନ୍ତ୍ରୀ ତାତ୍ସଲ୍ୟ କରିବା ଘଟଣା ଓଡିଶାବାସୀଙ୍କୁ ଶକ୍ତ ଆଘାତ ଦେଇଛି । ଦଳ ମତ ନିବିଶେଷରେ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ଏଭଳି ମନ୍ତବ୍ୟକୁ ନିନ୍ଦା କରାଯାଇଛି । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଭୁବନେଶ୍ୱରରେ ବିକ୍ଷୋଭ କରାଯାଇଛି । ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ, ଅଭଦ୍ର ଓ ଆଇନ ବିରୋଧୀ ମନ୍ତବ୍ୟ ଦେଇଥିବା ମନ୍ତ୍ରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି, ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ରାମ ମନ୍ଦିର ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଦ୍ରୌପଦୀ ମୁର୍ମୁଙ୍କୁ ନେଇ ସାରା ଓଡିଶା ଗର୍ବ କରୁଥିବାରୁ ଦଳ ମତ ଉପରକୁ ଉଠି ନିନ୍ଦା କରିଛନ୍ତି ବିଜେଡି ଓ କଂଗ୍ରେସ । କଂଗ୍ରେସ ନେତା କହିଛନ୍ତି, ଓଡିଶାର ଝିଅ ଓ ଦେଶର ମହାମହିମଙ୍କୁ ନେଇ ଏଭଳି ବୟାନକୁ ବରଦାସ୍ତ କରାଯିବନି । ବିଜେଡି କହିଛି, ଏଭଳି ମନ୍ତବ୍ୟ ଦେଇଥିବା ମମତାଙ୍କ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ରାଷ୍ଟ୍ରପତିଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମନ୍ତ୍ରୀଙ୍କ ବିରୋଧରେ ଭୁବନେଶ୍ୱର ଓ ସୁନ୍ଦରଗଡରେ ଏତଲା ଦିଆଯାଇଛି । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ବିଜେପି ଆଦିବାସୀ ସମାଜ ପକ୍ଷରୁ ଅଖିଲ ଗିରିଙ୍କ ବିରୋଧରେ ଏତଲା ଦିଆଯାଇଛି । ସେପଟେ ସୁନ୍ଦରଗଡରେ ମଧ୍ୟ ଅଖିଲ ଗିରିଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ବିଜେପି ବିଧାୟକ କୁସୁମ ଟେଟେ । ତୁରନ୍ତ ମନ୍ତ୍ରୀଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ।

ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ତାଙ୍କୁ ନେଇ ବାରମ୍ବାର ଏଭଳି ଆପତ୍ତିଜନକ ଟିପଣୀ ଦେଉଛନ୍ତି ବିରୋଧୀ ଦଳର ନେତା । ଯାହା ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀର ଗରିମାକୁ ନଷ୍ଟ କରୁଛି । ତେଣୁ ଏଭଳି ବୟାନ ଦେବାରୁ ରାଜନେତା ବିରତ ନରହିଲେ ଏହା ଏକ ଖରାପ ପରମ୍ପରା ସୃଷ୍ଟି କରିବ ।