ଭାରତ ଫେରିଲେ ଉଜମା ! ବଖାଣିଲେ ବନ୍ଦୀ ଜୀବନ . . କହିଲେ ମୃତ୍ୟୁର କୂଅ ପାକିସ୍ତାନ

33

କନକ ବ୍ୟୁରୋ : ସ୍ୱଦେଶ ଫେରିଲେ ଭାରତୀୟ ମହିଳା ଉଜମା । ଭାରତ ଫେରିବା ପାଇଁ ଉଜମାଙ୍କୁ ଅନୁମତି ଦେଲେ ଇସଲାମାବାଦ ହାଇକୋର୍ଟ । ମାତୃଭୂମିକୁ ଫେରିବା ପରେ ତାଙ୍କ ପରିବାର ଲୋକେ ତାଙ୍କୁ ପାଛୋଟି ନେଇଛନ୍ତି । ୱାଘା ବର୍ଡରରେ ପହଞ୍ଚି ପ୍ରଥମେ ଭାରତମାଟିକୁ ମୁଣ୍ଡରେ ଲଗାଇଥିଲେ ଉଜମା । ୱାଘା ବର୍ଡର ପର୍ଯ୍ୟନ୍ତ ଉଜମାଙ୍କୁ ସୁରକ୍ଷିତ ଭାବେ ପହଁଚାଇବା ପାଇଁ ପାକିସ୍ତାନ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଭାରତ ଫେରିବା ପରେ ଉଜମାଙ୍କୁ ସ୍ୱାଗତ କରିଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ।

କିଛି ଦିନ ପୂର୍ବରୁ ଉଜମା ନିଜ ସର୍ମ୍ପକୀୟଙ୍କ ବାହାଘରରେ ଯୋଗ ଦେବା ପାଇଁ ପାକିସ୍ତାନ ଯାଇଥିଲେ । ସେଠାରେ ତାହିର ଅଲ୍ଲୀ ନାମକ ବ୍ୟକ୍ତି ବନ୍ଧୁକ ମୁନରେ ଧମକ ଦେଇ ଉଜମାଙ୍କ ସହ ଜୋର ଜବରଦସ୍ତ ନିକାହ କରିଥିଲେ । ଏନେଇ ଉଜମା ତାହିରଙ୍କ ନାଁରେ ମାମଲା ରୁଜୁ କରିବା ସହ ଭାରତ ଫେରିବା ପାଇଁ କୋର୍ଟରେ ଆବେଦନ କରିଥିଲେ । ତେବେ କୋର୍ଟରେ ବିଚାର ପ୍ରକ୍ରିୟା ଶେଷ ହେବା ପରେ ଉଜମା ଭାରତ ଫେରିବା ପାଇଁ ଅନୁମତି ମିଳିଥିଲା । ଆଉ ଏ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟକୁ ପାକିସ୍ତାନ ହାଇକମିଶନ ଆଶ୍ୱାସନା ଦେଇଥିଲେ । ତେବେ ଫେରିବା ପରେ ଉଜମା କହିଛନ୍ତି, ପାକିସ୍ତାନ ଏମିତି ଏକ ଦେଶ ଯେଉଁଠିକୁ ଯିବା ସହଜ, ହେଲେ ଫେରିବା କଷ୍ଟ । ପାକିସ୍ତାନ ଏକ ଦେଶ ନୁହେଁ ମୃତ୍ୟୁର କୂଅ।