ଲଢେଇ ପାଇଁ ପାଗ ଭିଡୁଛନ୍ତି ବିଜେଡି, ବିଜେପି : ଆସନ୍ତାକାଲି ବିରାଟ ମିଶ୍ରଣ ପର୍ବରେ ବିଜେପିରେ ମିଶିବେ ଉପାସନା
କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର କଂଗ୍ରେସ ଛାଡିବେ । ଆସନ୍ତାକାଲି ଭୁବନେଶ୍ୱରରେ ଏକ ବଡ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେବେ ଉପାସନା । ତାଙ୍କ ସହ ଲୁଲୁଙ୍କ ବଡ ଭାଇ ଲଳିତେନ୍ଦୁ ମହାପାତ୍ର ମଧ୍ୟ ବିଜେପିରେ ମିଶିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ରାଜନୀତିରେ ଅଖଣ୍ଡ ପ୍ରଭାବ ରଖୁଥିବା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ବିଜେପି ଆଡକୁ ଢଳୁଥିବାର ଚର୍ଚା ଏବେ ବାସ୍ତବ ରୂପ ନେବାକୁ ଯାଉଛି । ଅକ୍ଟୋବର ୧୪ ଅର୍ଥାତ୍ ଶନିବାର, ଏକ ସ୍ୱତନ୍ତ୍ର ମିଶ୍ରଣ ପର୍ବର ଆୟୋଜନ କରିଛି ବିଜେପି । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ହେବାକୁ ଥିବା ଏହି ମିଶ୍ରଣ ପର୍ବରେ ଲୁଲୁଙ୍କ ଜନ୍ମମାଟିରୁ ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ବାହାରିବେ ଉପାସନା । ଏବଂ ପ୍ରଦର୍ଶନୀ ପଡିଆରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେବେ ।
ଗଣମାଧ୍ୟମକୁ ମିଶ୍ରଣ ନେଇ ସ୍ପଷ୍ଟଭାବେ ସୂଚନା ଦେଉନଥିବା ଉପାସନା ଓଡିଶା ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ମୁମ୍ବାଇର ସୋଫିଆ କଲେଜରେ ଯୁକ୍ତ ୩ ରେ ପାଠ ପଢୁଥିବା ଉପାସନା ୨୦୧୯ରେ ନହେଲେ ମଧ୍ୟ ଆଗକୁ ନିର୍ବାଚନୀ ରାଜନୀତିରେ ସକ୍ରିୟ ରହିବା ନେଇ ଚର୍ଚା ହେଉଛି । ଲୁଲୁଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି, କାହିଁକି ସେମାନେ ବିଜେପିରେ ଯୋଗ ଦେବାକୁ ଆଗ୍ରହ ପ୍ରକାଶ କଲେ ତାହା ମିଶ୍ରଣ ପର୍ବରେ ସ୍ପଷ୍ଟ କରିବେ ।
ଓଡିଶା ରାଜନୀତିରେ ଜଣେ ଫାୟାରବ୍ରାଣ୍ଡ ଲିଡର ଭାବରେ ନିଜକୁ ପ୍ରତିଷ୍ଠିତ କରାଇଥିବା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ପ୍ରତି ସମର୍ଥନ ଉପାସନା ଓ ଲଳିତେନ୍ଦୁଙ୍କ ପାଖକୁ ଯିବ ବୋଲି ବିଜେପି ଆଶା ରଖିଛି ।