ଅମିତ ଶାହା ୨୦୧୯ରେ କଥାମାନିଥିଲେ ବର୍ତ୍ତମାନ ମହାରାଷ୍ଟ୍ରରେ ବିଜେପି ସରକାର ଥାନ୍ତା: ଉଦ୍ଧବ ଠାକରେ 

373

କନକ ବ୍ୟୁରୋ: ଯଦି ଅମିତ ଶାହ ମୋତେ ଦେଇଥିବା କଥା ରଖିଥାନ୍ତେ ତେବେ ମହାରାଷ୍ଟ୍ରରେ ଆଜି ବିଜେପିର ମୁଖ୍ୟମନ୍ତ୍ରୀ ରହିଥାନ୍ତେ । କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ।

ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, ୨୦୧୯ରେ ମେଣ୍ଟ ବେଳେ ମୁଁ ଅମିତ ଶାହଙ୍କ ସହ ଆଲୋଚନା କରିଥିଲି । ମୁଁ ସର୍ତ୍ତ ରଖିଥିଲି ଅଢେଇବର୍ଷ ଶିବସେନାର ମୁଖ୍ୟମନ୍ତ୍ରୀ ରହିବା, ଶେଷରେ ଏହା ହିଁ ହେଲା । ଯଦି ସେତେବେଳେ ସେ ସେହିକଥା ମାନିନେଇଥାନ୍ତେ ତେବେ ମହାବିକାଶ ଅଘାଡିର ଗଠନ ହିଁ ହୋଇନଥାନ୍ତା । ଅବଶିଷ୍ଟ ଅଢେଇ ବର୍ଷ ବିଜେପିର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶାସନ ସମ୍ଭାଳିଥାନ୍ତେ ।

ଏକନାଥ ସିନ୍ଦେଙ୍କ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପାଇଁ ପ୍ରେସମିଟ କରିଛନ୍ତି ଉଦ୍ଧବ ଠାକରେ । ଏହି ପ୍ରେସମିଟରେ ସେ ଅମିତଶାହାଙ୍କ ଏହି ପ୍ରସ୍ତାବର ଖୁଲାସା କରିଛନ୍ତି । ଯଦି ଅମିତ ଶାହା କଥା ରଖିଥାନ୍ତେ ତେବେ ଆଜି ରାଜ୍ୟରେ ବିଜେପିର ସରକାର ଶାସନରେଥାନ୍ତା ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁଭଳି ଏହି ସରକାର ଗଠନ ହୋଇଛି   । ଜଣେ ତଥାକଥିତ ଶିବସେନା କାର୍ଯ୍ୟକର୍ତ୍ତା ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ମୁଁ ଅମିତ ଶାହଙ୍କୁ ଏହାହିଁ କହିଥିଲି । ଏହାକୁ ସମ୍ମାନପୂର୍ବକ କରାଯାଇପାରିଥାନ୍ତା । ଶିବସେନା ସେତେବେଳେ ଆପଣଙ୍କ ସହ ରହିଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବସେନାର ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଉଦ୍ଧବ ।