ଋଷ ରାଷ୍ଟ୍ରପତି ପୁଟିନଙ୍କ ସହ ଫୋନ ଯୋଗେ କଥାହେଲେ ପ୍ରଧାନମନ୍ତ୍ରୀ ମୋଦୀ, ୟୁକ୍ରେନ ସଂକଟ ଉପରେ ଆଲୋଚନା

184

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ୟୁକ୍ରେନ ସଂକଟ ଉପରେ ଭାରତର ସ୍ଥତିକୁ ପୁଣି ଦୋହରାଇଛନ୍ତି । ଏହାସହ ଏହି ସଂକଟକୁ ଉଦ୍ଧାର ପାଇବାକୁ ମୋଦୀ କୂଟନୈତିକ ତରିକା ଆପଣାଇବାକୁ ଋଷ ରାଷ୍ଟ୍ରପତିଙ୍କୁ ପରାମର୍ଶ ଦେଇଛନ୍ତି । କହିରଖୁ କି ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଭିତରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ପୂର୍ବରୁ ବି ପୁଟିନଙ୍କ ସହ କଥା ହୋଇସାରିଛନ୍ତି ।

ଆଜିର ଏହି ବାର୍ତ୍ତାଳାପ ମଧ୍ୟରେ ୟୁକ୍ରେନ ସଂକଟ ବ୍ୟତୀତ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ ଓ ବିଶ୍ୱର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିବା କଥା କୁହାଯାଉଛି । ଏହାସହ ପୁଟିନ ଭାରତ ଆସିଥିବା ବେଳେ ଉଭୟ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିର ଅଗ୍ରଗତି ଉପରେ ମଧ୍ୟ ଆଲୋଚନା ହୋଇଥିବା କଥା କୁହାଯାଇଛି ।

ସୂଚନା ମୁତାବକ ଏହି ଆଲୋଚନାରେ ଋଷର ଖାଦ୍ୟ ସୁରକ୍ଷା ସମେତ ଅନେକ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମୁତାବକ ଉଭୟ ଦେଶ ମଧ୍ୟରେ କୃଷି, ଫାର୍ମା ପ୍ରଡକ୍ଟ ଓ ରାସାୟନିକ ସାରକୁ ନେଇ ଚର୍ଚ୍ଚା ହୋଇଛି ।

କହିରଖୁ କି ଋଷ ରାଷ୍ଟ୍ରପତି ପୁଟିନ ୨୦୨୧ ଡିସେମ୍ବର ମାସରେ ଭାରତ ଗସ୍ତରେ ଆସିଥିଲେ । ଏହି ଗ୍ରସ୍ତ ବେଳେ ଉଭୟ ଦେଶ ମଧ୍ୟରେ ୨+୨ ମନ୍ତ୍ରୀସ୍ତରୀୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଉଭୟ ଦେଶ ମଧ୍ୟରେ ଦୀର୍ଘବର୍ଷ ଧରି ଚାଲିଥିବା ସଂପର୍କକୁ ମଜବୁତ କରିବାକୁ କିଛି ମହତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା ।