ଯୋଡା ପେଟ ଶିଶୁଙ୍କ ପାଇଁ ସହାୟତାର ହାତ ବଢାଇଲେ ରାଜ୍ୟ ସରକାର ! ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ, ଆବଶ୍ୟକ ପଡିଲେ ଚିକିତ୍ସା ପାଇଁ ବାହାରକୁ ନିଆଯିବ

38

କନକ ବ୍ୟୁରୋ : ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ପରେ ଏବେ ପେଟ ଓ ଛାତି ଯୋଡା ପେଟ ଶିଶୁ । ଶିଶୁଭବନରେ ଯୋଡାପେଟ ଶିଶୁଙ୍କ ଭେଟିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ଏହାସହ ତାଙ୍କ ପରିବାର ଓ ଚିକିତ୍ସା କରୁଥିବା ଡାକ୍ତରୀ ଟିମକୁ ଭେଟି ଶିଶୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ । ଶିଶୁଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ସୁସ୍ଥ ହେବା ପର୍ଯ୍ୟନ୍ତ ରାଜ୍ୟ ସରକାର ସମସ୍ତ ସହାୟତା କରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ଏହାସହ ଆବଶ୍ୟକ ପଡିଲେ ଚିକିତ୍ସା ପାଇଁ ତାଙ୍କୁ ରାଜ୍ୟ ବାହାରକୁ ନିଆଯିବ ବୋଲି ପ୍ରତାପ ଜେନା କହିଛନ୍ତି ।

ପେଟ ଓ ଛାତି ଯୋଡିହୋଇଥିବା ଏହି ଯାଅଁଳା ଶିଶୁଙ୍କୁ ଜନ୍ମଦେଇଛନ୍ତି ନୟାଗଡର ଜଣେ ମହିଳା । ନୟାଗଡର ଏକ ଘରୋଇ ଡାକ୍ତରଖାନାରେ ଏହି ଯମଜ କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି । ଜନ୍ମ ହେବା ପରେ କନ୍ୟା ସନ୍ତାନଙ୍କୁ ଦେଖିବା ଲାଗି ପ୍ରବଳ ଭିଡ ଲାଗିରହିଥିଲା । ତେବେ କନ୍ୟା ସନ୍ତାନ୍ତଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ସେମାନଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି । ଏହି ଯମଜ କନ୍ୟାଙ୍କ ବାପା ମା ହେଲେ ନୟାଗଡ ଶରଣକୂଳ ଥାନା ଖଳିପାଟଣା ଗାଁର କିଶୋର କୁମାର ଦତ ଓ ତାଙ୍କ ସ୍ତ୍ରୀ ସୁମିତ୍ରା । ଯୋଡା ଶିଶୁ କନ୍ୟାଙ୍କୁ ବର୍ତମାନ ଶିଶୁଭବନର ଆଇସିୟୁରେ ରଖାଯାଇଛି ।