ମଣିଷ ସ୍ନେହରେ ବନ୍ଧା ଜଙ୍ଗଲୀ ଜନ୍ତୁ : ୧୦ ମାସ ଧରି ବାରହା ପାଳିଥିଲେ ତେଲକୋଇ ପୁରୁଷୋତମପୁରର କୁନ୍ତଳା; ଦେଇଥିଲେ ମା’ର ସ୍ନେହ

ବନବିଭାଗ ଛଡ଼ାଇ ନେଲା ପରେ ବି ଜଙ୍ଗଲରେ ଡାକିଦେଲେ ଖାଇବାକୁ ଚାଲି ଆସୁଛି ବାରହା ‘ଢ଼ୁର’

438

କନକ ବ୍ୟୁରୋ : ପଶୁ-ମଣିଷ ମଧ୍ୟରେ ଅନାବିଳ ସ୍ନେହ । ପାଳିତ ମାଆର ମମାତାରେ ପାଗଳ ଜଙ୍ଗଲୀ ଜନ୍ତୁ । ନାଁ ଧରି ଡାକିଲେ ଜଙ୍ଗଲ ଭିତରୁ ଧାଇଁ ଆସୁଛି, ଖାଦ୍ୟ ଖାଇ ପୁଣି ଜଙ୍ଗଲ ଭିତରକୁ ଚାଲି ଯାଉଛି । ଏପଟେ ଏହି ବାରାହାକୁ ପାଳିଥିବା ମହିଳା ପାଗେଳି ଭଳି ଜଙ୍ଗଲ ଭିତରେ ତା ନାଁ ଧରି ଡାକ ଦେଉଛନ୍ତି । ଏ ଘଟଣା କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଂଚଳ ଅନ୍ତର୍ଗତ ବିମଳା ରେଂଜ ଅଂଚଳର । ୧୦ ମାସ ତଳେ ଜଙ୍ଗଲକୁ ଜାଳେଣୀ କାଠ ଆଣିବାକୁ ଯାଇଥିବା ବେଳେ ବାରହା ଛୁଆଟିଏ ପାଇଥିଲେ ପୁରୁଷୋତମପୁର ଗାଁର କୁନ୍ତଳା କୁମାରୀ ପେଣ୍ଠେଇ । ଜଙ୍ଗଲ ଭିତରେ ବାରହା ଛୁଆଟି ଅସହାୟ ଅବସ୍ଥାରେ ପଡି ରହିଥିଲା । କୁନ୍ତଳା ତାକୁ ଉଦ୍ଧାର କରି ଘରକୁ ଆଣିଥିଲେ । ଘରେ ନିଜ ପିଲାଙ୍କ ଭଳି ସ୍ନେହ ମମତା ଦେଇ ପାଳିଥିଲେ ।

ବାରହାକୁ ସ୍ନେହରେ ‘ଢୁର୍’ ବୋଲି ଡାକୁଥିଲେ କୁନ୍ତଳା ଓ ତାଙ୍କ ପରିବାର । କ୍ଷୀର ଭାତ ଖାଇବାକୁ ଦେବା ସହ ଗୀତ ଗାଇ ବାରହାକୁ ନିଜ ପିଲା ଭଳି ଶୁଆଇ ଦେଉଥିଲେ । ଜଙ୍ଗଲୀ ଜନ୍ତୁ ବି ମଣିଷ ପ୍ରେମରେ ପଡି ଯାଇଥିଲା । ଘରେ ରହିବା ସହ ଗୃହପାଳିତ ପଶୁଙ୍କ ସହ ବେଶ ଖୁସିରେ ଖେଳକୁଦ କରୁଥିଲା । କିନ୍ତୁ ଆଇନ୍ ଅନୁସାରେ ଜଙ୍ଗଲୀ ଜନ୍ତୁ ଘରେ ପାଳିବା ଅପରାଧ । ସ୍ଥାନୀୟ ଲୋକେ ଏନେଇ ଅଭିଯୋଗ କରିବା ପରେ ବାରହାକୁ କୁନ୍ତଳାଙ୍କ ଘରୁ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଛି ବନ ବିଭାଗ । ଗତ ୯ ତାରିଖରୁ ବନ କର୍ମଚାରୀ ସମାକୋଇ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛନ୍ତି ବନ କର୍ମଚାରୀ ।

ହେଲେ ଏବେ ବି ପାଳିତା ମାଆକୁ ଭୁଲି ପାରିନାହିଁ ‘ଢୁର୍’ । କି ‘ଢୁର’କୁ ଭୁଲି ପାରିନାହାନ୍ତି କୁନ୍ତଳା । ଜଙ୍ଗଲ ଭିତରେ ଟିଫିନରେ ଭାତ ଧରି ବୁଲୁଛନ୍ତି ମହିଳା । ବାରହାର ନାଁ ଧରି ଡାକୁଛନ୍ତି, ଆଉ କହୁଛନ୍ତି, ସେ କିଛି ଖାଇ ନଥିବ, ଭୋକରେ ଥିବ । ତାଙ୍କ ଡାକ ଶୁଣିଲେ ସେ ଆସିବ, ଆଉ ତାକୁ ଘରକୁ ଆଣି ପାଳିବେ । ସେପଟେ ତେଲକୋଇ ରେଂଜର ପ୍ରମୋଦ କୁମାର ସେଠୀ କହିଛନ୍ତି ବାରହାକୁ ଜଙ୍ଗଲରେ ଛଡାଯାଇଛି । ସେ ସୁରକ୍ଷିତ ରହିଛି । ତା’ର ଗତିବିଧି ଉପରେ ନଜର ରଖାଯାଇଛି ।