ଟ୍ରାକ୍ଟର ରାଲି ବେଳେ ଭିନ୍ନ ରୂପରେ ନଜର ଆସିଲେ ଚାଷୀ, ଅଟକାଇବାକୁ ଆସିବାରୁ ପୋଲିସ ଉପରକୁ ଟ୍ରାକ୍ଟର ଚଢାଇଦେବାକୁ କଲେ ଉଦ୍ୟମ ।

122

କନକ ବ୍ୟୁରୋ : ସାରାଦେଶରେ ଗଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ କୃଷି ଆଇନକୁ ବିରୋଧ କରି ଚାଷୀମାନେ ବିଶାଳ ଟ୍ରାକ୍ଟର ରାଲି ବାହାର କରିଥିଲେ। ଚାଷୀଙ୍କ ଏହି ଟ୍ରାକ୍ଟର ରାଲି ବେଳେ ପୁଲିସ ସହିତ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା।  ପ୍ରଥମେ ବ୍ୟାରିକେଡ ଭାଙ୍ଗିବା ପରେ ଚାଷୀମାନେ ପୁଲିସ ଉପରକୁ ଟ୍ରାକ୍ଟର ଚଢ଼ାଇବାକୁ ଉଦ୍ୟମ କରିଥି‌ଲେ। କେବଳ ଏତିକି ନୁହେଁ ଜଣେ ଆନ୍ଦୋଳନକାରୀ ରାଜପଥରେ ପୁଲିସ ଉପରକୁ ଖଣ୍ଡା ଧରି ଗୋଡାଇଥିବା ବି ଖବର ଆସିଛି। ନିକଟରେ ଥିବା ଅନ୍ୟ ଚାଷୀମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଶୁଣି ନଥିଲେ। ପରେ ପୁଲିସ ଉକ୍ତ ଆନ୍ଦୋଳନକାରୀ ଚାଷୀଙ୍କୁ ନିଜ ଆୟତ୍ତକୁ ନେଇଥିଲା।  ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ସଂଜୟ ଗାନ୍ଧୀ ଟ୍ରାନ୍ସପୋର୍ଟ ନଗର ନିକଟରେ କୃଷକମାନେ ବିଶାଳ ଟ୍ରାକ୍ଟର ରାଲି ପ୍ରବେଶ କରୁଥିଲେ। କିନ୍ତୁ ଏହି ସମୟରେ ଦିଲ୍ଲୀ ପୁଲିସ ଟ୍ରାକ୍ଟର ରାଲିକୁ ଅଟକାଇବାକୁ ଉଦ୍ୟମ କରିଥିଲା। ଚାଷୀମାନେ ନିଜ ଜିଦରେ ଅଟଳ ରହିବାରୁ ପୁଲିସ ବାଧ୍ୟ ହୋଇ ଚାଷୀମାନଙ୍କ ଉପରକୁ ଲୁହ ବୁହା ଗ୍ୟାସ୍‌ର ପ୍ରୟୋଗ କରିଥିଲା। ଏପରିକି ଚାଷୀଙ୍କ ଉପରେ ପୁଲିସ ଲାଠି ଚାର୍ଜ କରିଥିବା ଦେଖିବାକୁ ମିଳିଛି।