ସମ୍ବଲପୁରରେ ଧାନ ବିକ୍ରି ଆରମ୍ଭରୁ ଟୋକନ୍ ଟେନସନ୍: ଧାର୍ଯ୍ୟଠାରୁ କମ୍ ପରିମାଣର ଟୋକନ ଆସିଥିବାରୁ ତେଜୁଛି ଅସନ୍ତୋଷ

53

କନକ ବ୍ୟୁରୋ: ରବି ଋତୁ ପାଇଁ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଛି । ସମ୍ବଲପୁର ଜିଲ୍ଲାରେ ମଣ୍ଡି ଖୋଲିଛି । ହେଲେ ସେହି ଚିରାଚରିତ ଢଙ୍ଗରେ ଧାନ କିଣା ଆରମ୍ଭରୁ ଟୋକନ ସମସ୍ୟା ଦେଖାଦେଲାଣି । ଯାହାକୁ ଦେଖିଲେ, ଲାଗୁଛି ଆଗକୁ ଜିଲ୍ଲାରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକି ପାରେ ।

ଅମଳ ଧାନ ଖଳାରେ ପଡିଛି । ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ସବୁଦିନ ସନ୍ଧ୍ୟାରେ ମେଘୁଆ ପାଗକୁ ଦେଖି ଡରିଯାଉଛନ୍ତି ଚାଷୀ । ଧାନ କିଣିବାକୁ ମେ’ ୧୩ ତାରିଖରୁ ମଣ୍ଡି ଖୋଲିଛି । ହେଲେ ଧାନ ବିକ୍ରି ହୋଇପାରୁନାହିଁ । ସବୁ ମୂଳରେ ସେଇ ଟୋକନ ଟେନସନ୍ । ଧାର୍ଯ୍ୟ ପରିମାଣରୁ କମ୍ ଧାନ ବିକ୍ରି ପାଇଁ ଟୋକନ ଆସୁଥିବାରୁ ଡିଆରଙ୍କୁ ଭେଟିଛନ୍ତି ସମ୍ବଲପୁରର ଚାଷୀ ।

ଟୋକନ ସମସ୍ୟା ପାଇଁ ଡିଆରଙ୍କୁ ଭେଟିବା ସହ ଡିଆର ଅଫିସରେ ବସି ରହିଲେ ଚାଷୀ । ଆଲୋଚନା ହେଲା ତଥାପି ସମାଧାନର ରାସ୍ତା ବାହାରି ପାରିଲାନାହିଁ । ତେଣୁ ଆଗକୁ ନିଜର ହକ ପାଇଁ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ଚାଷୀ ନେତା ।