ପୁରି ଆସୁଛି କଣ୍ଟ ! ମାର୍ଚ୍ଚ ୩୧ ପୂର୍ବରୁ ନିଜ ପାନ୍ କାର୍ଡକୁ ଆଧାର ସହିତ ସଂଯୋଗ କରନ୍ତୁ, ନଚେତ୍ ହୋଇପାରେ ସମସ୍ୟା ।

309

କନକ ବ୍ୟୁରୋ: ପାନ୍ କାର୍ଡକୁ ଆଧାର ସହ ଯୋଡ଼ିବାର ସମୟସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିବା ବେଳେ ସାମ୍ନାକୁ ଆସିଛି ଏଥିରେ ବ୍ୟତୀକ୍ରମ ରିପୋର୍ଟ । ଡେଲାଇନ ନିକଟତର ହେଉଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦% ପାନକାର୍ଡ ଧାରକ ନିଜର ପରିଚୟକୁ ପାନ୍ ସହ ଯୋଡି ନାହାନ୍ତି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରା ।

ସୁଶୀଲ ଚନ୍ଦ୍ରା କହିଛନ୍ତି ଯେ, ଅଦ୍ୟାବଧି ୪୨ କୋଟି ସ୍ଥାୟୀ ଖାତା ସଂଖ୍ୟା ପାନ୍ ଜାରି କରାଯାଇଛି। ଏଥିରୁ ୨୩ କୋଟିକୁ ଆଧାର ସହ ସଂଯୋଗ କରାଯାଇଛି। ଅନ୍ୟପଟେ ସୁପ୍ରିମକୋର୍ଟ ପାନ୍ ସହ ଆଧାର ସଂଯୋଗ ସମୟସୀମାକୁ ଚଳିତ ବର୍ଷ ମାର୍ଚ୍ଚ ୩୧ ଯାଏ ଧାର୍ଯ୍ୟ କରିଛନ୍ତି । ଏହାଦ୍ୱାରା ଆଧାର ସହ ପାନ୍କୁ ଯୋଡାଯିବା ଦ୍ୱାରା ନକଲି ପାନ୍ ସମ୍ପର୍କରେ ସୂଚନା ମିଳିବ । ଫଳରେ ନକଲି ପାନକୁ ତୁରନ୍ତ ରଦ୍ଦ କରାଯାଇପାରିବ। ପାନ୍ ସହ ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ଯୋଡି ହେବା ଯୋଗୁ ଆୟକର ବିଭାଗ ଟିକସଦାତାଙ୍କ ଖର୍ଚ୍ଚ କରିବାର ପଦ୍ଧତି ତଥା ଅନ୍ୟ ସୂଚନା ସହଜରେ ପାଇପାରିବ।

ସେହିପରି ସମାଜକଲ୍ୟାଣକାରୀ ଯୋଜନାଗୁଡ଼ିକ ଏବଂ ବିଭିନ୍ନ ସରକାରୀ ସ୍କିମ୍ ଲାଭ ଲୋକମାନେ ପାଉଛନ୍ତି କି ନା ସହଜରେ ଜାଣିହେବ। ତେବେ ଚଳିତ ବର୍ଷ ଅଦ୍ୟାବଧି ୬.୩୧କୋଟି ରିଟର୍ନ ଦାଖଲ ହୋଇଛି । ଗତ ବର୍ଷ ଏହି ସମୟ ମଧ୍ୟରେ ରିଟର୍ନ ସଂଖ୍ୟା ୫.୪୪ କୋଟି ଥିଲା । ଚଳିତ ବର୍ଷ ୯୫ ଲକ୍ଷ ନୂଆ ଟିକସଦାତାଙ୍କୁ ଯୋଡ଼ାଯାଇପାରିଛି।