ମୟୂରଭଞ୍ଜ କପ୍ତିପଦା ଉପଖଣ୍ଡର କଶିବଣୀ ଗାଁକୁ ଛୁଁଇନି କରୋନା : ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ନାହାନ୍ତି ଜଣେ ହେଲେ ବି କୋଭିଡ ରୋଗୀ

136

କନକ ବ୍ୟୁରୋ : ସାରାବିଶ୍ୱକୁ କଲବଲ କରୁଥିଲେ ବି ମୟୂରଭଞ୍ଜ ଉପଖଣ୍ଡର କଶିବଣୀ ଗାଁକୁ ଏପର୍ଯ୍ୟନ୍ତ ଛୁଇଁନି ମହାମାରୀ କରୋନା । ଏହି ଗାଁରୁ ଏପର୍ଯ୍ୟନ୍ତ ଜଣେ ହେଲେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇ ନାହାଁନ୍ତି । ଏହି ଗାଁରେ ପାଖାପାଖି ଶହେ ଲୋକ ରୁହନ୍ତି । ଏମାନେ ମୁଖ୍ୟତଃ ଚାଷ ଓ ପଶୁପାଳନ କରି ଗୁଜୁରାଣ ମେଂଟାଉଥିବାରୁ ବାହାରକୁ ଯାଆନ୍ତି ନାହିଁ । ଏଥିସହ ଲକଡାଉନ ଲାଗୁ ହେବା ଯୋଗୁଁ ଗାଁକୁ କେହି କୁଣିଆ ମଧ୍ୟ ଆସୁନାହାଁନ୍ତି । ସେଥିପାଇଁ ଗାଁକୁ କରୋନା ଛୁଇଁନଥିବା କୁହାଯାଉଛି । ତେବେ ଆଉ ଏକ ବଡ କଥା ହେଉଛି, ଏହି ଗାଁର ଲୋକମାନେ କରୋନା ରୋଗ ସମ୍ପର୍କରେ ସମ୍ପୂର୍ଣ ଅଜ୍ଞ ।

ରୋଗ ସମ୍ପର୍କରେ କିଛି ଲୋକ ଶୁଣିଛନ୍ତି । ହେଲେ କରୋନା କଣ ତାହା ଜାଣି ନାହାନ୍ତି । ଏହି ରୋଗରେ ଲୋକ ମରୁଛନ୍ତି ବୋଲି କିଛି ଲୋକ ଶୁଣିଥିଲେ ମଧ୍ୟ ଏ ସମ୍ପର୍କରେ ଅଧିକ ଜାଣି ନାହାନ୍ତି । ନାଁ ଗାଁରେ ଟିଭି ଅଛି , ନା ଖବର କାଗଜ ଆସେ । କେବଳ ରେଡିଓ ରହିଛି । ବାହାର ଦୁନିଆ ସମ୍ପର୍କରେ କିଛି ବି ଖବର ରଖନ୍ତିନି ଏହି ଗାଁ ଲୋକ । ଏପରିକି ଗାଁକୁ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନଓାଡି କର୍ମୀ ମଧ୍ୟ ଆସନ୍ତି ନାହିଁ ବୋଲି କହିଛନ୍ତି ଗ୍ରାମବାସୀ । ଗାଁ କୁ ରାସ୍ତା ବି ନାହିଁ । ବିଲ ହିଡ ହିଁ ଏକମାତ୍ର ଭରସା । ପାଦଚଲା ରାସ୍ତାରେ ନିଜର ପରିବାର ଓ ପୋଡଶୀଙ୍କୁ ନେଇ ବିନା ଦ୍ୱିଧାରେ ବଂଚିଛନ୍ତି କଶିବଣୀ ଗାଁ ଲୋକେ । ପ୍ରକୃତି କୋଳରେ ଆନନ୍ଦରେ ଜୀବନ ବିତାଉଛନ୍ତି ଏହି ଆଦିବାସୀ ଗ୍ରାମବାସୀ ।