କୋଭିଡ ହସ୍ପିଟାଲରେ ଅଭାବନୀୟ ଘଟଣା : ଜଣେ ରୋଗୀଙ୍କ ମୃତ୍ୟୁ ପରେ ତାତି ଉଠିଲେ ସଂପର୍କୀୟ; ଡାକ୍ତରଙ୍କୁ ଧମକ, ଅଙ୍ଗ ତସ୍କରୀ ନେଇ ଗୁଜବ ପରେ ପ୍ରକାଶ ପାଇଲା ଉତ୍ତେଜନା

240

କନକ ବ୍ୟୁରୋ : ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ରାଜ ସୀତାପୁର କୋଭିଡ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି । କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କର ମୃତ୍ୟୁ ହୋଇଯିବାରୁ ଏଥିପାଇଁ ଡାକ୍ତରଙ୍କୁ ଦାୟୀ କରି ଧମକ ଦେବା ସହ ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ ମୃତକଙ୍କ ସମ୍ପର୍କୀୟ ଓ ପରିବାର ଲୋକ ।

ସମ୍ପର୍କୀୟଙ୍କ ଯୁକ୍ତି ହେଉଛି ପାଂଚ-ଛଅ ଘଂଟା ତଳେ ରୋଗୀ ଜଣଙ୍କ କଥା ହେଉଥିଲେ । ହଠାତ ସେ ମରିଗଲେ କେମିତି ? ଏହା ସହ ସମ୍ପର୍କୀୟମାନେ ଆଣିଥିଲେ ଅଙ୍ଗ ତସ୍କରୀର ସାଂଘାତିକ ଅଭିଯୋଗ । ହାର୍ଟ, କିଡନୀ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ କାଢ଼ି ନେଇଥିବା ଭଳି ଅଭିଯୋଗ ମଧ୍ୟ କରିଥିଲେ । ଏପରି ଗୁଜବକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ପିପିଇ କିଟ୍ ପିନ୍ଧି ପରିବାର ଲୋକ ହସପିଟାଲ ଭିତରେ ମୃତ ଶରୀରକୁ ଦେଖିଥିଲେ । ଏହା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ମୃତ ଦେହକୁ ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରିଥିଲେ ହସପିଟାଲ୍ କର୍ତୃପକ୍ଷ ।

ତେବେ ସବୁଠୁ ବଡ଼ କଥା ହେଉଛି, କୋଡିଭ୍ ହସପିଟାଲରେ ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ର୍ୟକର୍ମୀମାନେ ନିଜ ଜୀବନକୁ ପାଣି ଛଡ଼ାଇ ରୋଗୀଙ୍କ ଚିକିତ୍ସା କରୁଛନ୍ତି । ଯେତେ ଜଣ କରୋନା ରୋଗୀଙ୍କ ଜୀବନ ରକ୍ଷା ପାଇଛି ଏହା ପଛରେ ଡାକ୍ତରଙ୍କ ହାତ ଅଛି । ପ୍ରତିଟି ମୃତ୍ୟୁ ଦୁଃଖ ଦାୟକ, ହେଲେ ଏଥିପାଇଁ ଡାକ୍ତରଙ୍କୁ ଦାୟୀ କରିବା ଠିକ୍ କି?