ବାପା ଛେଉଁଣ୍ଡ ଗରିବ ଅସହାୟ ଝିଅକୁ ଆଦର୍ଶ ବିବାହ କରାଇଲେ ଗ୍ରାମବାସୀ: ସମ୍ବଲପୁର ଶଗଡେଶ୍ୱର ମନ୍ଦିରରେ ହେଲା ବିବାହ ଉତ୍ସବ 

234

କନକ ବ୍ୟୁରୋ: ବାପ ଛେଉଣ୍ଡ ଜଣେ ଗରୀବ ଅସହାୟ ଝିଅକୁ ଆଦର୍ଶ ବିବାହ କରାଇଲେ ଗ୍ରାମବାସୀ  । ଝିଅଟିର ପିଲା ଦିନୁ ବାପା ନାହାଁନ୍ତି, ତେଣୁ ପରିବାର ପ୍ରତିପୋଷଣ କରିବା ତା ଉପରେ ନିର୍ଭର କରୁଥିଲା । ମୁଲ ମଜୁରୀ କରି ଯାହା ଆଣେ ସେଇଥିରେ ତା’ର ପରିବାର ଚଳୁଥିଲା । ତେବେ ବିବାହ ବୟସ ହେବାରୁ ଭଲ ପାତ୍ର ଟିଏ ମଧ୍ୟ ଯୋଗାଡ ହେଲା । ହେଲେ ବାହାଘର କରିବା ତାଙ୍କ ପାଇଁ ଅସମ୍ଭବ ଥିଲା । ତେବେ ସାହିପଡିଶା ମିଶି ଝିଅଟିର ବାହାଘର କରିଛନ୍ତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଶଗଡେଶ୍ୱର ମନ୍ଦିରରେ ହୋଇଥିଲା ଏହି ବିବାହ ଉତ୍ସବ । କୁଚିଣ୍ଡା ଉପଖଣ୍ଡ ନୁଆଁଗାଁର ଗରିବ ବାପ ଛେଉଣ୍ଡ ଝିଅକୁ ଦେବଗଡ ଜିଲ୍ଲା ବଲାଣୀ ଗାଁର ଏକ ଯୁବକ ସହିତ ବେଶ ଧୁମ ଧାମରେ ବାହାଘର କରିଛନ୍ତି ଗାଁ ଲୋକ ଏବଂ ମନ୍ଦିର କମିଟି । ଗ୍ରାମବାସୀ ମିଶି ଏକାଠି ହୋଇ ଝିଅ ପାଇଁ ସାଢୀ ,ଚୁଡି ସହିତ ସମସ୍ତ ସାମଗ୍ରୀ ଯୋଗାଡ କରି ଉପହାର ଦେଇଥିବା ବେଳେ ମନ୍ଦିର କମିଟି ତରଫରୁ ଭୋଜିଭାତର ଆୟୋଜନ କରାଯାଇଥିଲା । ତେବେ ଏହି ବିବାହରେ ବର କନିଆ ବେଶ ଖୁସି ଥିବାବେଳେ ଝିଅକୁ ନିଜ ଘରକୁ ବୋହୁ କରି ନେଉଥିବା ପୁଅର ବାପା ମଧ୍ୟ ବେଶ ଖୁସି ହୋଇଛନ୍ତି ।