ଖରିଫ ଯାଇ ରବିଋତୁ ଆସିଲାଣି ହେଲେ ଏଯାଏଁ ଚାଷୀଙ୍କୁ ମିଳୁନି ଧାନ ବିକା ଟଙ୍କା:  ବାରମ୍ବାର ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନିରାଶ ହେଉଛନ୍ତି ଚାଷୀ 

140

କନକ ବ୍ୟୁରୋ: ଖରିଫ ଯାଇ ରବି ଆସିଲାଣି । ହେଲେ ଏଯାଏଁ ଖରିଫ ମଣ୍ଡିର ଧାନ ଟଙ୍କା ମିଳିନାହିଁ । ମଣ୍ଡିରେ ଧାନ ଦେଇ ଚିନ୍ତାରେ ପଡ଼ିଛନ୍ତି ଚାଷି । ମାସେ ବିତିଲାଣି ହେଲେ ଖାତାକୁ ପଇସା ଆସିନାହିଁ । ବ୍ୟାଙ୍କକୁ ବାରମ୍ବାର ଦୌଡ଼ି ଦୌଡ଼ି ଚାଷୀ ନିରାଶ ହୋଇ ଫେରୁଛନ୍ତି । କୋରାପୁଟ ଜିଲ୍ଲା ଜୟପୁର ବ୍ଳକର ବାଲିଆ, ପାଞିଆଗୁଡ଼ା, ପାଲିଗୁଡ଼ା ଗାଁର ଜଣେ କି ଦୁଇ ଜଣ ନୁହେଁ ଏକାଧିକ ଚାଷୀଙ୍କ ଏହି ଗୋଟିଏ ସମସ୍ୟା । ବିଶେଷକରି ଏହି ଅଂଚଳର ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭର କରନ୍ତି । ଆଉ ଚାଷୀଙ୍କ ଉନ୍ନତି ପାଇଁ ସରକାର ମଣ୍ଡିର ବ୍ୟବସ୍ଥା କରିଥିବା ବେଳେ ଲୋକଙ୍କୁ ଉଚିତ୍ ସମୟରେ ଧାନ ବିକା ଟଙ୍କା ମିଳୁନଥିବା ଅଭିଯୋଗ କରିଛନ୍ତି ଚାଷୀ । କିଛି ଦିନ ତଳେ କୃଷିମନ୍ତ୍ରୀ ଟଙ୍କା ନମିଳିଲେ ତାଙ୍କୁ ଟୁଇଟ କର ବୋଲି କହିଥିଲେ । ତେବେ ଠିକ ଭାବେ ମୋବାଇଲ ନମ୍ବର ଲଗାଇବା ଜଣାନଥିବା ଚାଷୀ କିଭଳି ଟୁଇଟ କରି ମନ୍ତ୍ରୀଙ୍କୁ ତାଙ୍କର ଦୁଃଖ ଜଣାଇବେ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି । ଏହା କେବଳ ପ୍ରହସନ ପାଲଟିଥିବା ଚାଷୀ କହିଛନ୍ତି । ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି ଖୁବ୍ ଶିଘ୍ର ଚାଷୀଙ୍କ ଆକାଉଂଟକୁ ଟଙ୍କା ଆସିଯିବ । ସେପଟେ ଜୟପୁର ବିଧାୟକ ତାରା ବାହିନୀପତି କହିଛନ୍ତି ଆଗକୁ ଭୋଟ ରହିଥିବାରୁ ଚାଷୀଙ୍କୁ ଖୁସି କରାଇବା ପାଇଁ କୃଷି ମେଳା କରୁଛନ୍ତ ସରକାର । କିନ୍ତୁ ଚାଷୀର ଧାନ ବିକ୍ରୀ ହୋଇ ପାରୁନାହିଁ । ଦଲାଲ ଧାନ କଣି ନେଉଛନ୍ତି । ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ୁଛି ।