ମାଆଙ୍କ ଶେଷ ଇଚ୍ଛା ପୂରଣ କଲେ ତିନି ଝିଅ : ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ୧କୋଟି ଟଙ୍କା ମୂଲ୍ୟର ୩ମହଲା କୋଠା କଲେ ଦାନ

ମାଆଙ୍କ ଶେଷ ଇଚ୍ଛା ପାଇଁ ୧କୋଟିର ଦାନ ପାଲଟିଛି ଚର୍ଚ୍ଚାର ବିଷୟ

514

କନକ ବ୍ୟୁରୋ : ମାଆଙ୍କ ଶେଷ ଇଚ୍ଛା ପୂରଣ କରି ୧କୋଟିର ଦାନ କଲେ ତିନି ଝିଅ । ନବରଙ୍ଗପୁର ଭଗବତୀ ସାହିରେ ରହୁଥିବା ବୈଜନ୍ତିମାଳା ସାହୁଙ୍କ ତିନି ଝିଅ ମାଆଙ୍କ ଶେଷ ଇଚ୍ଛା ପୂରଣ କରିବାକୁ ଯାଇ ୧କୋଟି ମୂଲ୍ୟର ୩ମହଲା ବିଶିଷ୍ଟ କୋଠା ନବରଙ୍ଗପୁର ଜଗନ୍ନାଥ ମନ୍ଦିରକୁ ଦାନ କରିଛନ୍ତି । ମାଆଙ୍କ ଶେଷ ଇଚ୍ଛା ପାଇଁ ୧କୋଟିର ଦାନ କରିବା ଚର୍ଚ୍ଚାର ବିଷୟ ପାଲଟିଛି ।

୨୫ବଖରା ବିଶିଷ୍ଟ ୩ମହଲା କୋଠା ଯାହାର ଆନୁମାନିକ ମୁଲ୍ୟ ୧କୋଟିରୁ ଅଧିକ ହେବ ଏହା ଦାନ କରିଛନ୍ତି । ସେହିପରି ଗୋଟିଏ ମଙ୍ଗଳସୂତ୍ର, ରୂପା ଫରୁଆ, ରୂପାର ବ୍ରତ ପେଢି, ରୂପାର ମଥାମଣି ନବରଙ୍ଗପୁର ନିଳକଣ୍ଠେଶ୍ୱର ମନ୍ଦିରରେ ଥିବା ପାର୍ବତୀ ମନ୍ଦିରକୁ ଦାନ କରିଛନ୍ତି । ବୈଜନ୍ତିମାଳାଙ୍କ ଶେଷ ଇଚ୍ଛାକୁ ନେଇ ଗର୍ବ କରିଛନ୍ତି ପୂରା ପରିବାର । ଚଳିତ ମାସ ୨ତାରିଖରେ ବୈଜନ୍ତିମାଳାଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ସ୍ୱାମୀ ଭବାନୀ ସାହୁ ମଧ୍ୟ ରୋଗାଗ୍ରସ୍ତ ଅବସ୍ଥାରେ ରହିଛନ୍ତି ।

ଭବାନୀ ସାହୁ ଓ ବୈଜନ୍ତିମାଳା ସାହୁଙ୍କ ତିନି ଝିଅ ପୁଷ୍ପାଂଜଳି, ଗୀତାଂଜଳି ଓ ଶ୍ରଦ୍ଧାଂଜଳି ଥିବା ବେଳେ କୌଣସି ପୁଅ ନଥିବାରୁ ସେମାନେ ଜଗନ୍ନାଥଙ୍କୁ ପୁଅ ଭାବେ ଗ୍ରହଣ କରି ସବୁ ସମ୍ପତି ମନ୍ଦିରକୁ ଦାନ କରିଛନ୍ତି । ବୈଜନ୍ତିମାଳା ସାହୁଙ୍କ ମୃତ୍ୟୁ ପରେ ୧୪ଦିନରେ ନବରଙ୍ଗପୁର ଜଗନ୍ନାଥ ମନ୍ଦିର ନୀତି ପରିଚାଳନା ନିଯୋଗ ନାଁରେ ସମ୍ପତି ଦାନ କରିଛନ୍ତି ।