ରୋଚକ ହେଉଛି ବିଜେପି ଓ ଟିଏମସି ଭିତରେ ଲଢେଇ । କେନ୍ଦ୍ର ଗୃହମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ୩ ଆଇପିଏସଙ୍କୁ ଡେପୁଟେସନ୍ ରେ ଛାଡିବାକୁ ମନାକଲେ ମମତା ବାନାର୍ଜୀ

562

କନକ ବ୍ୟୁରୋ : ପଶ୍ଚିମବଙ୍ଗର ୩ ଜଣ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଡେପୁଟେସନରେ ପଠାଇବାକୁ କେନ୍ଦ୍ରରୁ ନୋଟିସ୍ ହୋଇଥିଲେ ବି ସେମାନଙ୍କୁ ଡେପୁଟେସନରେ ପଠାଇବାକୁ ସିଧା ସିଧା ମନା କରିଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ପଶ୍ଚିମବଙ୍ଗ ସରକାର ଚିଠି ଲେଖିଛନ୍ତି ଓ ଏହି ଚିଠି କେନ୍ଦ୍ର ଗୃହମନ୍ତ୍ରଣାଳୟ ନିକଟରେ ପହଂଚିଥିବା ସୂଚନା ମିଳିଛି ।
କେନ୍ଦ୍ରୀୟ ଡେପୁଟେସନ୍ ପାଇଁ ନୋଟିସ ହୋଇଥିବା ୩ ଜଣ ଆଇପିଏସ୍ ଅଫିସର ହେଉଛନ୍ତି ଦକ୍ଷିଣ ବେଙ୍ଗଲ ରେଞ୍ଜର ରାଜୀବ ମିଶ୍ର, ପ୍ରେସିଡେନ୍ସି ରେଞ୍ଜ ଡିଆଇଜି ପ୍ରବୀଣ କୁମାର ଓ ଡ।ଇମଣ୍ଡ ହାର୍ବର ଏସ.ପି ଭୋଲାନାଥ ପାଣ୍ଡେ । ଏମାନଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯିବାକୁ କେନ୍ଦ୍ର ଗୃହମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଥାଉକି ଯେଉଁ ସମୟରେ ଡାଇମଣ୍ଡ ହାର୍ବର ଗସ୍ତ ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଉପରେ ଆକ୍ରମଣ ହୋଇଥିଲା ସେତେବେଳେ ଏହି ୩ ଜଣ ଆଇପିଏସ ଦାୟିତ୍ୱରେ ଥିଲେ ।

କହିରଖୁ କି କେନ୍ଦ୍ର ସରକାର ନିଜ କ୍ଷମତା ବଳରେ କୌଣସି ସେବା ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନ୍ ରେ ଡାକି ପାରିବେ । ଏହାସହ କୌଣସି ତୃଟି ପାଇଁ ବି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ପାରିବେ । ଅନ୍ୟପଟେ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କ କ୍ୟାଡର ନିୟନ୍ତ୍ରଣ କେନ୍ଦ୍ର କାର୍ମିକା କର୍ତ୍ତୃପକ୍ଷ , ପେନସନ୍ ମନ୍ତ୍ରଣାଳୟ ଓ କେନ୍ଦ୍ର ଗୃହମନ୍ତ୍ରଣାଳୟ ଦ୍ୱାରା କରାଯାଇଥାଏ । ତେଣୁ ଏନେଇ ରାଜ୍ୟ ସରକାରଙ୍କର କୌଣସି ଭୂମିକା ନଥିବା ଜଣାପଡିଛି ।

ସୂଚନା ଥାଉକି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବେ ଠିକ୍ ନଥିବା ଅନୁଭବ କରି କେନ୍ଦ୍ର ଗୃହମନ୍ତ୍ରଣାଳୟ ପଶ୍ଚିମବଙ୍ଗ ରାଜ୍ୟର ମୁଖ୍ୟ ଶାସନ ସଚିବ ତଥା ପୋଲିସ ମହାନିର୍ଦ୍ଦେଶକଙ୍କୁ ଡକାଇଥିଲା । ହେଲେ ପଶ୍ଚିମବଙ୍ଗ ସରକାର ସେମାନଙ୍କୁ ନପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି ।