ନିର୍ବାଚନ ସଂରକ୍ଷଣ ପ୍ରସଙ୍ଗରେ ‘ସୁପ୍ରିମ’ ରାୟ । ୫୦ ପ୍ରତିଶତ ଟପି ପାରିବନି ସଂରକ୍ଷଣ ସୀମା

ଟ୍ରିପଲ୍ ଟେଷ୍ଟ ବିନା ଲାଗୁ ହୋଇପାରିବନି ୨୭ ପ୍ରତିଶତ ସଂରକ୍ଷଣ, ପୁଣି ଦୋହରାଇଲେ କୋର୍ଟ

140

କନକ ବ୍ୟୁରୋ: ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ଦେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରି ଆସୁଛନ୍ତି ବିରୋଧୀ । ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେବାକୁ ରାଜ୍ୟ ସରକାରଙ୍କ ଆନ୍ତରିକତା ନଥିବା ରାଜ୍ୟ ବିଜେପି ନେତାମାନେ କହିବା ସହ କେନ୍ଦ୍ରମନ୍ତ୍ରୀ ବି କହିଥିଲେ । ଏହି ପ୍ରସଙ୍ଗରେ କଂଗ୍ରେସ ହାଇକୋର୍ଟକୁ ବି ଯାଇଥିଲା କିନ୍ତୁ ଏତିକିବେଳେ ଓବିସି ସଂରକ୍ଷଣ ପ୍ରସଙ୍ଗରେ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଆଉ କହିଛନ୍ତି ଟ୍ରିପଲ ଟେଷ୍ଟ ବିନା ଦିଆଯାଇପାରିବନି ଓବିସିଙ୍କୁ ସଂରକ୍ଷଣ ।

ପଞ୍ଚାୟତ ନିର୍ବାଚନରେ ଓବିସି ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗରେ ମହାରାଷ୍ଟ ସରକାର ସୁପ୍ରିମକୋର୍ଟରେ କରିଥିବା ପୁନଃବିଚାର ଆବେଦନର ଶୁଣାଣି କରି ବଡ ରାୟ ଦେଇଛନ୍ତି ତିନି ଜଣିଆ ଖଣ୍ଡପୀଠ । ଜଷ୍ଟିସ ଏଏମ ଖାନୱିଲକର, ଡିଏମ ମାହେଶ୍ୱରୀ ଏବଂ ସିଟି ରବିକୁମାରଙ୍କ ଖଣ୍ଡପୀଠ କହିଛନ୍ତି, ଟ୍ରିପଲ ଟେଷ୍ଟ ବିନା ଦେଶର ସମସ୍ତ ରାଜ୍ୟ ନିର୍ବାଚନ କମିଶନ ସ୍ଥାନୀୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୨୭ ପ୍ରତିଶତ ସଂରକ୍ଷଣ ଦେଇପାରିବେ ନାହିଁ ।

ତେବେ ଟ୍ରିପଲ ଟେଷ୍ଟ ଅର୍ଥାତ..

  • ସ୍ୱତନ୍ତ୍ର ଓବିସି କମିଶନ୍ ଗଠନ
  • ପଛୁଆ ବର୍ଗଙ୍କ ସଂଖ୍ୟା ଅନୁପାତରେ ସିଟ୍ ସଂରକ୍ଷଣ
  • ସମସ୍ତ ବର୍ଗର ସଂରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରହିବ

ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ମିଶାଇ ସଂରକ୍ଷଣ ଯେମିତି ୫୦ ପ୍ରତିଶତରୁ ଅଧିକ ନହୁଏ ସେଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଗତ ଡିସେମ୍ବର ୧୫ ଓ ୧୭ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବଳବତ୍ତର ରଖିଛନ୍ତି ଓ ଏହା ହିଁ ସାରା ଦେଶରେ ଲାଗୁ ହେବ ବୋଲି କହିଛନ୍ତି । ତେବେ ପଞ୍ଚାୟତ ନିର୍ବାଚନରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ସରକାର ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା । ସେହି ମାମଲାର ଶୁଣାଣି କରି ଓବିସିଙ୍କ ପାଇଁ ରଖାଯାଇଥିବା ସଂରକ୍ଷିତ ଆସନକୁ ଅଣସଂରକ୍ଷିତ ଆସନ କରିଦେବାକୁ ଡିସେମ୍ବରରେ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ପୁନଃବିଚାର ପାଇଁ କୋର୍ଟକୁ ଯାଇଥିଲେ ଉଭୟ ରାଜ୍ୟ ସରକାର ।

ଓଡିଶା ହାଇକୋର୍ଟ ମଧ୍ୟ ଓବିସି ସଂରକ୍ଷଣ ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ସଂରକ୍ଷଣ ନଦେବା ପ୍ରସଙ୍ଗରେ ବିରୋଧ କରି ହାଇକୋର୍ଟ ଯାଇଥିଲା ରାଜ୍ୟ କଂଗ୍ରେସ । ହେଲେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଚାଲିଥିବାବେଳେ ଜାନୁଆରୀ ୨୧ ତାରିଖରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ଏଭଳି ସ୍ଥିତିରେ ମାମଲାରେ ହସ୍ତକ୍ଷେପ କରିହେବ ନାହିଁ ବୋଲି କହିଛନ୍ତି ହାଇକୋର୍ଟ । ନିର୍ବାଚନ ଶେଷହେବା ପରେ ଆବେଦନକାରୀ ଆଇନ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିପାରିବେ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓବିସିଙ୍କ ପାଇଁ ସଂରକ୍ଷିତ ଥିବା ଆସନ ସାଧାରଣ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ କରିଦେଇଛନ୍ତି ରାଜ୍ୟ ସରକାର । ଏହାକୁ ବେଆଇନ ଦର୍ଶାଇ ହାଇକୋର୍ଟରେ ଆବେଦନ କରିଥିଲା ରାଜ୍ୟ କଂଗ୍ରେସ ।