ଝଡ ଉଠିବ ଝାରସୁଗୁଡାରେ  : କିଶୋରଙ୍କ ପରଲୋକ ବିଜେଡିର ରଣନୀତିକୁ କଲା ଓଲଟପାଲଟ,  ନବଙ୍କ ଗଡ ଭାଙ୍ଗିବାକୁ ଟଙ୍କଧରଙ୍କ ପାଖେ ସୁଯୋଗ ।

758

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନର କୋଳାହଳ ଏବେ ଝାରସୁଗଡାକୁ ମଧ୍ୟ ଡେଇଁଛି । ୨୦୧୯ ନିର୍ବାଚନ ପରେ ନୀରବ ପଡି ଯାଇଥିବା ଝାରସୁଗୁଡା ରାଜନୀତିରେ ବଡ ଧରଣର ହଲଚଲ ଦେଖିବାକୁ ମିଳିଲାଣି । ଯାହା ଚଳିତ ନିର୍ବାଚନରେ ବିଜେଡି ପାଇଁ ବିପଦ ସୃଷ୍ଟି କରିବାକୁ ଥିବା ବେଳେ ବିଜେପିକୁ ବେଶ ସୁହାଇବ ବୋଲି କୁହାଯାଉଛି ।   ତେବେ ୨୦୧୭ ପଞ୍ଚାୟତ ନିର୍ବାଚନ ଫଳାଫଳର ସମ୍ପୂର୍ଣ୍ଣ ବିପରୀତ ସ୍ଥିତି ଚଳିତ ନିର୍ବାଚନରେ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । କାରଣ ୨୦୧୭ରେ କଂଗ୍ରେସକୁ ଏଠାରେ ବିଜୟ ବାନା ପିନ୍ଧାଇଥିବା ନବ ଦାସ ଏବେ ବିଜେଡି ଶିବିରରେ । ତେଣୁ ଫଳାଫଳ ଶାସକ ବିଜେଡି ସପକ୍ଷରେ ଗଲେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । କିନ୍ତୁ ବିଜେଡି ସପକ୍ଷରେ ଯେ ପଞ୍ଚାୟତ ଫଳାଫଳ ଯିବ ତାହା କହିବା ମୁସ୍କିଲ । କାରଣ ଏହା ଭିତରେ ବିଜେଡିର ଜିଲ୍ଲା ସଭାପତି ତଥା ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ହୋଇଛି । ଆଉ କିଶୋରଙ୍କ ପରଲୋକ ହିଁ ବିଜେଡିର ପଞ୍ଚାୟତ ରଣନୀତିକୁ ଓଲଟପାଲଟ କରିଛି ।

ଗତ ୨୦୧୭ ନିର୍ବାଚନରେ ଝାରସୁଗୁଡା ଜିଲ୍ଲା ସମ୍ପୂର୍ଣ୍ଣ ବ୍ୟତିକ୍ରମ ଥିଲା । କାରଣ ପୂରା ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ହେଉଥିବା ବେଳେ ଝାରସୁଗୁଡାରେ ବିଜେଡି ବେଶ ପଛରେ ରହି ଯାଇଥିଲା । ଜିଲ୍ଲାର ୯ ଜିଲ୍ଲା ପରିଷଦ ଆସନରୁ ୮ଟି କଂଗ୍ରେସ ହାତେଇଥିବା ବେଳେ ଗୋଟିଏ ଆସନ ବିଜେପି ଖାତାକୁ ଆସିଥିଲା ।  ବିଜେଡି ଏଠାରେ ଖାତା ଖୋଲିବାକୁ ମଧ୍ୟ ସକ୍ଷମ ହୋଇନଥିଲା । ସେତେବେଳେ ନବଙ୍କ ପତିଆରା ଦେଖିଥିଲା ପୂରା ଝାରସୁଗୁଡା । ୮ଟି ଜିଲ୍ଲା ପରିଷଦ ଆସନରେ କଂଗ୍ରେସ ହାତ ଟେକିବା ସହ ୫ ପଞ୍ଚାୟତ ସମିତି ମଧ୍ୟ ନିଜ କବଜାକୁ ନେଇଥିଲେ ନବ । ତେବେ ୨୦୧୯ ନିର୍ବାଚନ ପୂର୍ବରୁ ନବଙ୍କର ବିଜେଡିର ଯୋଗଦାନ ଝାରସୁଗୁଡା ରାଜନୀତିର ଦୃଶ୍ୟପଟ୍ଟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା । ୨୦୧୭ରେ ଆଦୌ ଗୋଟିଏ ଜିଲ୍ଲା ପରିଷଦ ଆସନ ପାଇନଥିବା ବିଜେଡିକୁ ନବଙ୍କ ଯୋଗଦାନ ସହ ମିଳିଥିଲା ୮ ଜିଲ୍ଲା ପରିଷଦ ଆସନ । ତେଣୁ ଏଥର ପୂରା କ୍ଲିନ୍ ସୁଇପ କରିବାକୁ ବିଜେଡି ଯୋଜନା ପ୍ରସ୍ତୁତ କରୁଛି । କିନ୍ତୁ କିଶୋରଙ୍କ ଅବର୍ତ୍ତମାନରେ ଏହି ମିଶନ ବିଜେଡି ପାଇଁ ସହଜ ନୁହେଁ ବୋଲି ଚର୍ଚ୍ଚା ଜୋର ଧରିଛି ।

କିଶୋରଙ୍କ ପରଲୋକ ଦଳ ଠାରୁ ଅଧିକ କର୍ମୀଙ୍କୁ ଝଟକା ଦେଇଛି । କାରଣ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଯେଉଁ କର୍ମୀମାନେ ଜିଲ୍ଲା ସଭାପତି ଭାବେ କିଶୋରଙ୍କ ସମର୍ଥନକୁ ଆଧାରକରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବେ ବୋଲି ଆଶା କରିଥିଲେ, ଏବେ ତାହା ନିରାଶାରେ ପରିବର୍ତ୍ତନ ହୋଇଗଲାଣି । ଅନ୍ୟପକ୍ଷରେ ଦୀର୍ଘବର୍ଷ ହେବ ରାଜନୀତିରୁ ଦୂରେଇ ରହିଥିବା ପୁରୁଣା କଂଗ୍ରେସ କର୍ମୀଙ୍କର ଏକପ୍ରକାର ଜ୍ୟାକପଟ ଫିଟିଥିବା ଚର୍ଚ୍ଚା ହେଉଛି । କିଶୋର ଦଳର ସଭାପତି ଥିବା କାରଣରୁ ପୂରା ଜିଲ୍ଲାର ପ୍ରାର୍ଥୀ ଚୟନରେ ବଡ ଭୂମିକା ରହିଥାନ୍ତା । ହେଲେ ପରିବର୍ତ୍ତିତ ସମୀକରଣ ଏବେ କିଛି ଭିନ୍ନ ସଂକେତ ଦେଉଛି । କିଶୋରଙ୍କ ଅନୁଗତ ଥିବା କିଛି ଆଶାୟୀ ଏବେ ଟିକେଟ ପାଇବେ କି ନାହିଁ ଦ୍ୱନ୍ଦ୍ୱରେ ରହିଛନ୍ତି । ତେଣୁ ଟିକେଟ ନ ମିଳିଲେ ଦଳ ଭିତରେ ବଡ ଧରଣର ବିଦ୍ରୋହ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଯାହା ଦଳକୁ ଯେତିକି  କ୍ଷତିରେ ପକାଇବନି, ବିରୋଧୀଙ୍କୁ ସେତିକି ଫାଇଦା ଦେବ ।

ଗତଥର ବିଜେପି ଝାରସୁଗୁଡାରୁ ଗୋଟିଏ ଜିଲ୍ଲା ପରିଷଦ ଆସନ ହାତେଇଥିବା ବେଳେ ଚଳିତଥର ଏହି ସଂଖ୍ୟା ବଢିବ ବୋଲି ଆଶା ରଖିଛି । କାରଣ ଦଳକୁ ତୃଣମୂଳସ୍ତରରୁ ସଙ୍ଗଠିତ କରିବାର ଦାୟିତ୍ୱ ଟାଣୁଆ ନେତା ଟଙ୍କଧର ତ୍ରିପାଠୀ ନେଇଛନ୍ତି । ତେବେ ବିଜେପିକୁ ବ୍ୟାକଫୁଟକୁ ଠେଲିପାରେ ପତିଆରା ଲଢେଇ । ବରଗଡ ସଂସଦୀୟ କ୍ଷେତ୍ର ଅଧିନରେ ଝାରସୁଗୁଡା ରହିଥିବାରୁ ଏଠାରେ ସାଂସଦ ସୁରେଶ ପୂଜାରୀ ମଧ୍ୟ ନିଜର ପ୍ରଭାବ  ବିସ୍ତାର କରିବାକୁ ପଛଘୁଞ୍ଚା ଦେବେନି ବୋଲି ଚର୍ଚ୍ଚା ହେଉଛି । ତେଣୁ ଟଙ୍କଧର-ସୁରେଶଙ୍କ ପତିଆରା ଲଢେଇ ଭିତରେ ଦଳକୁ ବଡ଼ କ୍ଷତି ସହିବାକୁ ପଡିପାରେ ବୋଲି କୁହାଯାଉଛି ।

ଅନ୍ୟପଟେ କଂଗ୍ରେସରୁ ନବ ଚାଲି ଆସିବା ପରେ ଜିଲ୍ଲାରେ ‘ହାତ’  ଟେକିପାରୁନି ଦଳ  । ଛାମୁଆ କଂଗ୍ରେସ କର୍ମୀଙ୍କ ନବଙ୍କ ସହ ବିଜେଡି ବାନା ଉଡାଇଥିବା ବେଳେ ଅଳ୍ପ କିଛି ନେତାଙ୍କୁ ନେଇ ଜିଲ୍ଲାରେ କଂଗ୍ରେସ ନିଜର ଉପସ୍ଥିତି ଜାହିର କରୁଛି । ୨୦୧୭ ଭଳି ଦଳ ୨୦୨୨ରେ ମଧ୍ୟ ଆଶ୍ଚର୍ଯ୍ୟ କଲାଭଳି ସଫଳତା ପାଇବା ତାହାର ସମ୍ଭାବନା କ୍ଷୀଣ ।  ତେଣୁ ଝାରସୁୁଗୁଡାର ଏହି ଫେଣ୍ଟାଫେଣ୍ଟି ରାଜନୀତି ଏଥର କାହାକୁ ସୁହାଉଛି ତାହା ଉପରେ ସମସ୍ତଙ୍କର ନଜର ରହିବ ।