ବିଦ୍ୟୁତ ସଂଯୋଗ କାଟିଦେଇଛି ବିତରକ କମ୍ପାନୀ। ଗରମରେ ହନ୍ତସନ୍ତ ବସ୍ତିବାସିନ୍ଦା । 

107

କନକ ବ୍ୟୁରୋ: ରାଜଧାନୀର ନିଳାଦ୍ରିବିହାର ଟ୍ରାଞ୍ଜିଟ୍ କ୍ୟାମ୍ପ । ଗଛମୂଳେ ଏକାଠି ହୋଇଛନ୍ତି ଲୋକେ । ଘରେ ବିଦ୍ୟୁତ୍ ସଂଯୋଗ କଟିଯାଇଛି, ପାଣି ବି ଆସୁନାହିଁ  । ବିଜୁଳୀ ବିଲ୍ ବାକି ଥିବା କହି ସଂଯୋଗ କାଟିଦେଇଛି ବିଦ୍ୟୁତ ବିତରକ ସଂସ୍ଥା ଟାଟା ପାୱାର  । ଫଳରେ ଅସହ୍ୟ ଗରମରେ ଆଉ କ’ଣ କରିବେ, ଗଛମୂଳ ହିଁ ଭରସା ପାଲଟିଛି  । ଖାଲି ଏତିକି ନୁହେଁ, ରାତି ସାରା ଗରମରୁ ରକ୍ଷା ପାଇବାକୁ ଫୁଟପାଥରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ବିଜୁଳି କଟିବା ପରେ ଅସହ୍ୟ ଗରମରେ ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି ବସ୍ତିବାସିନ୍ଦା   ।

୨୦୧୦ ମସିହାରେ ବିଏମସିର ୪୭ ନମ୍ବର ୱାର୍ଡରୁ ପ୍ରାୟ ଦୁଇ ଶହ ପରିବାରକୁ ସ୍ଥାନାନ୍ତର କରାଯାଇ ଏହି ଟ୍ରାନଜିଟ୍ ହାଉସକୁ ଅଣାଯାଇଥିଲା  । ସେତେବେଳେ ଏମାନଙ୍କୁ କୁହାଯାଇଥିଲା ଯେ, ପ୍ରଶାସନ ପକ୍ଷରୁ ମାଗଣାରେ ବିଦ୍ୟୁତ ଓ ପାନୀୟ ଜଳଯୋଗାଇ ଦିଆଯିବ  । ଏହାସହ ଆବାସ ଯୋଜନାରେ ଆଗାମୀ ଦିନରେ ଅନ୍ୟତ୍ର ସ୍ଥାୟୀ ଘର ଦିଆଯିବାକୁ ମଧ୍ୟ ପ୍ରତିଶ୍ରୁତି ମିଳିଥିଲା  । ସେହି କଥା ଅନୁସାରେ କୌଣସି ଘରେ ବିଜୁଳି ମିଟର ଲାଗିନାହିଁ  । ସେମାନଙ୍କ ପାଖକୁ କୌଣସି ବିଜୁଳି କି ପାଣି ବିଲ୍ ଆସିନାହିଁ  । ହେଲେ ୧୨ ବର୍ଷରେ ୫୮ ଲକ୍ଷ ଟଙ୍କା ବକେୟା ଥିବା ଦର୍ଶାଇ ବିଜୁଳି ସଂଯୋଗ କାଟିଦିଆଯାଇଥିବା ଅଭିଯୋଗ ହୋଇଛି  । ଫଳରେ ଏବେ ବିଜୁଳି ଓ ପାଣି ବିନା ଏହି ପରିବାରଗୁଡ଼ିକ ପାଇଁ ଚଳିବା କଷ୍ଟକର ହୋଇପଡ଼ିଛି ।

ହେଲେ ପ୍ରଶ୍ନ ଉଠୁଛି, ଯଦି ପ୍ରଶାସନ କହିଥିଲା, ଏମାନଙ୍କ ବିଜୁଳି ଓ ପାଣି ବିଲ୍ ଦେବ, ତାହେଲେ ଦେଇନାହିଁ କାହିଁକି ? ଆଉ ଏହି କଥା ଲୋକଙ୍କୁ ନକହି କେମିତି ସେମାନଙ୍କ ଘରର ବିଦ୍ୟୁତ ସଂଯୋଗ କାଟି ଦିଆଗଲା? ତେବେ ଟାଟା ପାୱାରର କହିବା କଥା ହେଲା, ଦୀର୍ଘ ଦିନ ଧରି ବିଡିଏ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କୁ ବିଜୁଳି ଯୋଗାଯାଉଥିଲା । ହେଲେ ସେମାନେ ନିଜ ବିଲ୍ ଦେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ  । ଗତ ତିନି ବର୍ଷ ଧରି ବକେୟା ରହିଛି  । ଏହାସହ ବସ୍ତି ବାସିନ୍ଦାଙ୍କ ସହ ୱାନଟାଇମ୍ ସେଟଲମେଣ୍ଟ କରାଯିବ ଓ ପ୍ରତିଘରକୁ ମିଟର ଲଗାଯାଇ ଖୁବ୍ ଶୀଘ୍ର ବିଜୁଳି ସଂଯୋଗ ଦିଆଯିବ ବୋଲି ଟାଟା ପାୱାର ପକ୍ଷରୁ କୁହାଯାଇଛି  ।