କାୟା ମେଲାଉଛି ସ୍ୱାଇନ ଫ୍ଲୁ ! ଏଚ୍-୧ଏନ୍-୧ ଭୂତାଣୁ ନେଲା ଆଉ ଏକ ଜୀବନ, ୯ ଛୁଇଁଲା ମୃତ୍ୟୁ ସଂଖ୍ୟା

38

କନକ ବ୍ୟୁରୋ : ସ୍ୱାଇନ ଫ୍ଲୁରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ ମେଡିକାଲରେ ଆଉ ଜଣେ ସ୍ୱାଇନ୍ ଫ୍ଲୁ ଆକ୍ରନ୍ତଙ୍କ ମୃତ୍ୟୁ ହୋଇଛି । ଏହାପରେ ରାଜ୍ୟରେ ସ୍ୱାଇନ ଫ୍ଲୁ ମୃତ୍ୟୁ ସଂଖ୍ୟା ୯ରେ ପହଂଚିଛି । ଯେଉଁମାନଙ୍କ ଭିତରେ ଅଛନ୍ତି ଦୁଇଜଣ ଡାକ୍ତର । ତେବେ କେବଳ ଏସସିବିରେ ଏହା ତୃତୀୟ ମୃତ୍ୟୁ । ମୃତକ ଜଣଙ୍କ ହେଉଛନ୍ତି ସାଲେପୁର ଅଂଚଳର । ସେ ୯ ତାରିଖରେ ଅସୁସ୍ଥ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ତେବେ ତାଙ୍କ ମୃତ୍ୟୁ ପରେ ଚିକିତ୍ସା ଅବହେଳା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ତେବେ ଗତକାଲି ଏସସିବି ଓ ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣ ସ୍ୱାଇନ ଫ୍ଲୁ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ରାଜ୍ୟରେ ସ୍ୱାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ଗୋଟିଏ ଦିନରେ ୩୦ଟି ରକ୍ତ ନମୁନା ପରୀକ୍ଷା ପାଇଁ ଆସିଥିବା ବେଳେ ୧୨ ଟି ପଜିଟିଭ୍ ରହିଥିଲା ।

ଅନ୍ୟପଟେ ରୋଗୀଙ୍କୁ ଚିିିକିତ୍ସା କରିବା ସମୟରେ ଏଚ୍-୧ଏନ୍-୧ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ, ଡାକ୍ତର ପ୍ରଭାକର ସେଠୀ । ତାଙ୍କ ସ୍ୱାବ ପରୀକ୍ଷାରୁ ସ୍ୱାଇନ ଫ୍ଲୁ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ଘରେ ରଖି ଚିକିତ୍ସା କରାଯାଉଛି ।

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଡାକ୍ତର ଓ କର୍ମଚାରୀଙ୍କ ଭିତରେ ଛନକା ପଶିଛି । ବିଶେଷ କରି ସ୍ୱାଇନ ଫ୍ଲୁ ୱାର୍ଡରେ ଡ୍ୟୁଟି କରୁଥିବା ଡାକ୍ତର ଓ କର୍ମଚାକୀଙ୍କୁ ସଂକ୍ରମଣର ସମ୍ଭାବନା ଅଧିକ ଥିବାରୁ ସତର୍କ ହୋଇଛନ୍ତି ସରକାର । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ପ୍ରତିଷେଧକ ଟୀକା ଦେବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା ।

ସେପଟେ ସଚେତନ ହେଲେ ସ୍ୱାଇନ ଫ୍ଲୁରୁ ରକ୍ଷା ପାଇବା ସମ୍ଭବ ବୋଲି କହିଛନ୍ତି ଆରଏମଆରସିର ଉପନିର୍ଦ୍ଦେଶକ । ସ୍ୱାଇନ ଫ୍ଲୁ ରୋଗୀଙ୍କୁ ଚିକିତ୍ସା କରୁଥିବା କର୍ମଚାରୀଙ୍କ କ୍ଷେତ୍ରରେ ସଂକ୍ରମଣର ସମ୍ଭାବନା ଅଧିକ ରହୁଥିବାରୁ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

କଟକ ଏସସିବି ମେଡିକାଲ କଲେଜରେ ଜଣେ ଡାକ୍ତର ସ୍ୱାଇନ ଫ୍ଲୁ ଆକ୍ରାନ୍ତ ହୋଇଥିବାବେଳେ ଏବେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଡାକ୍ତରଙ୍କୁ ସ୍ୱାଇନ ଫ୍ଲୁ ଚିକିତ୍ସକଙ୍କ ଚିନ୍ତା ବଢାଇ ଦେଇଛି ।

୨୦୦୯ ମସିହାରେ ଭାରତରେ ପ୍ରଥମ ଥର ପାଇଁ ସ୍ୱାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୦୩୫ ଜଣଙ୍କ ଜୀବନ ଯାଇଥିଲା । ୨୦୦୯ ଓ ୨୦୧୦ରେ ଓଡିଶାରେ ମଧ୍ୟ ସ୍ୱାଇନ୍ ଫ୍ଲୁରେ ବହୁ ରୋଗୀ ମୃତ୍ୟୁ ବରଣ କରିଥିଲେ । ତେଣୁ ଚଳିତ ବର୍ଷ ସ୍ୱାଇନ୍ ଫ୍ଲୁର ପ୍ରଥମ ଖବର ଆସିବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର ।

ଏବେ ନଜର ପକାନ୍ତୁ କେମିତି ସ୍ୱାଇନ ଫ୍ଲୁକୁ ଚିହ୍ନଟ କରିହେବ । ଏନେଇ କିଛି ନିର୍ଦ୍ଦିଷ୍ଟ ଲକ୍ଷ୍ୟଣ ରହିଛି ।

• ଜ୍ୱର,କାଶ ଓ ଛିଙ୍କ ଲାଗି ରହିବା
• ନାକ ଜାମ୍ ହେବା
• ନିଶ୍ୱାସ ପ୍ରଶ୍ୱାସରେ ଅସୁବିଧା
• ମୁଣ୍ଡବିନ୍ଧା ଓ ଶରୀର ବିନ୍ଧା
• ସ୍ଥଳ ବିଶେଷରେ ବାନ୍ତି ଓ ରକ୍ତ ବାନ୍ତି ହେବା

୨୦୦୯ ମସିହା ଅପେକ୍ଷା ସ୍ଥିତି ବଦଳିଛି । ଏଣୁ ସ୍ୱାଇନ ଫ୍ଲୁ କୁ ଏଚ୍ ୧ ଏନ୍ ୧ ଭୂତାଣୁ ବଦଳରେ ସିଜନାଲ ଇନଫ୍ଲୁଏଞ୍ଜା କୁହାଯାଉଛି । ଏହା ସହ ଜିଲ୍ଲା ସ୍ତରରୁ ସ୍ୱାଇନ ଫ୍ଲୁ ଚିହ୍ନଟ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଶିଶୁ,ବୃଦ୍ଧ ଓ ଗର୍ଭବତୀଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ତେବେ ପ୍ରାଥମିକ ସ୍ତରରୁ ଡାକ୍ତରଙ୍କ ପରାମର୍ଶରେ ମେଡିସିନ ଖାଇଲେ ସ୍ୱାଇନ୍ ଫ୍ଲୁ ରୋଗୀ ଖୁବଶୀଘ୍ର ସୁସ୍ଥ ହୋଇ ପାରିବେ ।