ବିଧାନସଭାରେ ଉପସ୍ଥାପନ ହେଲା ଅତିରିକ୍ତ ବଜେଟ । ଜାଣନ୍ତୁ କେଉଁ ବିଭାଗକୁ କେତେ?

567

କନକ ବ୍ୟୁରୋ : ବିଧାନସଭାରେ ଉପସ୍ଥାପିତ ହୋଇଛି ଅତିରିକ୍ତ ବଜେଟ । ବିରୋଧୀଙ୍କ ହଟ୍ଟଗୋଳ ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହି ଅତିରିକ୍ତ ବଜେଟ ଗୃହରେ ଉପସ୍ଥାପନ କରିଛନ୍ତି । ମୋଟ ୧୯ ହଜାର ୮୩୩ କୋଟି ଟଙ୍କାର ବଜେଟ ଗୃହରେ ଉପସ୍ଥାପନ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ, ପାନୀୟଜଳ ଓ ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି ।

ପ୍ରଶାସନିକ ବ୍ୟୟ ବାବଦକୁ ଅତିରିକ୍ତ ୪୫୭୭ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ରାସ୍ତା ଓ ସେତୁର ମରାମତି ଓ ରକ୍ଷାଣବେକ୍ଷଣ ପାଇଁ ୨୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ଏହାସହ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ୮.୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦକୁ ଅତିରିକ୍ତ ୧୬୮୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । କାରଣ ରାଜ୍ୟ ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବାରୁ ଏହି ଅତିରିକ୍ତ ବଜେଟର ଆବଶ୍ୟକତା ରହିଛି ।

ସେହିଭଳି କୃଷି, ଜଳସେ୬ଚନ ଓ ଗରିବ ଲୋକଙ୍କ ନିରପତ୍ତା ଦୃଷ୍ଟିରୁ ମୋଟ ୨୧୪୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କାଳିଆ ପାଇଁ ଅତିରିକ୍ତ ୨୭.୮୫ କୋଟି, କରୋନା ସହାୟତା ଓ ବିପିଏଲ ପରିବାରକୁ ଚାଉଳ ଯୋଗାଣ ନିମନ୍ତେ ୧୧୦୫ କୋଟି, କୃଷକ ମାନଙ୍କୁ ଋଣରେ ରିହାତି ପାଇଁ ୨୮୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ କରାଯାଇଛି । ଏହାବାବ୍ ସାମାଜିକ ନିରାପତ୍ତା ପାଇଁ ୫୮୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସବୁଠୁ ବଡ କଥା ହେଲା ଅତିରିକ୍ତ ବଜେଟରେ ସ୍ୱାସ୍ଥ୍ୟ ବିଭାଗକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ଯେଉଁଥିପାଇଁ ମୋଟ ୨୦୩୮ କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି । ଯେଉଁଥିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୪୯୮ କୋଟି, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ୧୭୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏବେ ଓମିକ୍ରନ ଭାରିଆଣ୍ଟ ବ୍ୟାପୁଥିବା ବେଳେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ମହିଳା ଓ ଶିଶୁ ମାନଙ୍କର ସଶକ୍ତିକରଣ ପାଇଁ ୨୫୩ କୋଟି ଟଙ୍କାର ଅତିରିକ୍ତ ବଜେଟ ବ୍ୟୟବରାଦ କରାଯାଇଛି ।

ଏହାବାଦ୍ ଶିକ୍ଷା, କ୍ରୀଡା ଓ ଦକ୍ଷତା ବିକାଶ ପାଇଁ ମୋଟ ୧୩୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଖାସକରି ମୋ ସ୍କୁଲ ଅଭିଯାନ ପାଇଁ ୮୮୭ କୋଟି ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଅତିରିକ୍ତ ୬୪.୫୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗ୍ରାମ୍ୟ ଉନ୍ନୟନ ପାଇଁ ୩୯୧୧.୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଶକ୍ତି, ସୂଚନା ଓ ପ୍ରଯୁକ୍ତି, ଅନୁସନ୍ଧାନ ଓ ବିକାଶ  କ୍ଷେତ୍ର ଗୁଡିକ ପାଇଁ ମୋଟ ୨୫୦୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସଂସ୍କୃତି ଓ ପର୍ଯ୍ୟଟନର ବିକାଶ ପାଇଁ ୧୧୪.୯୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।