ବିତିଗଲାଣି ୭୦ ବର୍ଷ , ହେଲେ ବ୍ରିଟିଶ ଜମାନାରେ ଓଡ଼ିଶା ବାବୁ ! ଅବକାରୀ ପୋଲିସକୁ ଏବେ ବି ମିଳୁଛି ମାସିକ ୩୦ ଟଙ୍କାର ସାଇକେଲ ଭତା ।

52

କନକ ବ୍ୟୁରୋ : ଅବକାରୀ ବିଭାଗରେ ବଦଳିନି ବ୍ରିଟିଶ ଅମଳର ଢାଂଚା । ଅଫିସରଙ୍କୁ ମିଳୁଛି ମାସିକ ୩୦ ଟଙ୍କାର ସାଇକଲ୍ ଭତା । ରାଜ୍ୟ ଅବକାରୀ ବିଭାଗ ଏବେ ବି ପୁରୁଣା ବ୍ରିଟିଶ ଅମଳର ନିୟମରେ ଚାଲିଛି । ନିଶା ବେପାରୀ ଗାଡ଼ିରେ ବେଧଡ଼କ ନିଶା କାରବାର କରୁଥିବା ବେଳେ ପୋଲିସ ସାଇକେଲରେ ପିଛା କରୁଛି । ଏପରିକି ସାଇକେଲ ହିଁ ବନିଛି ଶେଷ ସାହାରା ।

ଇତିମଧ୍ୟରେ ସ୍ୱାଧୀନତାର ଦୀର୍ଘ ବର୍ଷ ବିତିଯାଇଛି, କିନ୍ତୁ ଆଜି ବି କାୟମ୍ ରହିଛି ବ୍ରିଟିଶ୍ ଅମଳର ନିୟମ୍ କାନୁନ୍  । ଆମେ କହୁଛୁ ରାଜ୍ୟ ଅବକାରୀ ପୁଲିସ୍ ବିଭାଗର କଥା, ଯେଉଁଠି ପୁଲିସ୍ ହାତରେ ବନ୍ଧୁକ ବଦଳରେ ଅଛି ଠେଙ୍ଗା ଓ ନିଶା ବେପାରୀଙ୍କ ପିଛା କରିବାକୁ ମିଳୁଛି ମାସିକ ୩୦ ଟଙ୍କାର ସାଇକଲ୍ ଭତା  । ସମୟ ବଦଳିଛି, କିନ୍ତୁ ବଦଳିପାରିନାହିଁ ଅବକାରୀ ପୁଲିସର କଳେବର  । ଅତ୍ୟାଧୁନିକ ଯୁଗରେ ନିଶା ବ୍ୟବସାୟର ରୋକିବାକୁ ମିଳୁନାହିଁ ଆବଶ୍ୟକୀୟ ସାଧନ  ।

୩୦ ଟଙ୍କା ସାଇକଲ୍ ଭତାର ଏହି ନିୟମ ଆଜି ନୁହଁ ୧୯୧୫ ମସିହା ପାଖାପାଖି ୧୦୩ ବର୍ଷ ତଳର  । ପୁଲିସ ବିଭାଗରେ ମାସିକ ୭୫୦ ଟଙ୍କାର ବାଇକ ଭତା ମିଳୁଥିବା ବେଳେ ଅବକାରୀ ବିଭାଗର ସ୍ଥିତି କିଛି ଏଭଳି  । ଅନ୍ୟପଟେ ଅବକାରୀ ବିଭାଗ ଜରିଆରେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ପାଉଛନ୍ତି କିନ୍ତୁ ଯୋଜନାର ଅଭାବ ଓ ସରକାରୀ ନିଷ୍କ୍ରିୟତା ଯୋଗୁ ବଦଳିପାରୁନାହିଁ ବିଭାଗର ଦୟନୀୟ ସ୍ଥିତି  । ରାଜ୍ୟରେ ବଢ଼ିଚାଲିଛି ନିଶା କାରବାର, ତା’ସହ ତାଳ ଦେଇ ବଢ଼ୁଛି ଅବକାରୀ ବିଭାଗର ଦାୟିତ୍ୱ  । କିନ୍ତୁ ଅତ୍ୟାଧୁନିକ ହାଇସ୍ପିଡ୍ ଯୁଗରେ ଏବେ ବି ଅବକାରୀ ପୁଲିସ୍ ଯେପରି ଅଛି ବ୍ରିଟିଶ୍ ଅମଳରେ  ।