ଭୋଡାଫୋନ ଲଂଚ କଲା ୫ଟି ‘ସୁପର ପ୍ଲାନ୍’

27

ଟେଲିକମ୍ କମ୍ପାନିଗୁଡ଼ିକ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ପ୍ରକାରର ଅଫର ଲଞ୍ଚ କରିବାରେ ଲାଗିଛନ୍ତି । କହିବାକୁ ଗଲେ ଏକ ପ୍ରକାର ପ୍ରତିଯୋଗିତା ଚାଲିଛି କମ୍ପାନିମାନଙ୍କ ମଧ୍ୟରେ । ତେବେ ଭୋଡ଼ାଫୋନ ଗ୍ରାହକଙ୍କର ଦୃଷ୍ଟି ଆକର୍ଷଣ ପାଇଁ ଲଞ୍ଚ କରିଛି ୫ଟି ସୁପର ପ୍ଲାନ ସ୍କିମ, ଯେଉଁଥିରେ ଡାଟା, ମେସେଜ ସହ ଆନଲିମିଟେଡ଼ ଲୋକାଲ, ଏସଟିଡ଼ି ଏବଂ ରୋମିଙ୍ଗ୍ କଲର ସୁବିଧା ରହିଛି ।

ନୂତନ ସ୍କିମ ହିସାବରେ ଗ୍ରାହକଙ୍କୁ ୫୦୯ ଟଙ୍କାରେ ୮୪ ଦିନ ପର୍ଯ୍ୟନ୍ତ ଦୈନିକ ୧ଜିବି ଡ଼ାଟା, ୧୦୦ଟି ମେସେଜ ଏବଂ ଅନଲିମିଟେଡ଼ ଲୋକାଲ, ଏସଟିଡି ଏବଂ ରୋମିଙ୍ଗ୍ କଲ ମିଳିବାର ସୁବିଧା ରହିଛି । ସେହିପରି ଆଉ ଦୁଇଟି ଅଫର ରହିଛି, ଯେଉଁଥିରେ ୪୫୮ ଟଙ୍କାରେ ୭୦ ଦିନ ଓ ୩୪୭ ଟଙ୍କାରେ ୨୮ ଦିନର ବୈଧତା ସହ ୧.୫ ଜିବି ଡାଟା ଉପଲବ୍ଧ ହେବ । ଏଥିସହ୧୦୦ଟି ମେସେଜ ଏବଂ ଅନଲିମିଟେଡ଼ କଲ୍ ମଧ୍ୟ ମିଳିବ। ଅଳ୍ପ ଦିନର ବୈଧତା ଚାହୁଁଥିବା ଗ୍ରାହକଙ୍କ ଲାଗି ୧୯୯ ଟଙ୍କାରେ ୨୮ ଦିନ ଓ ୭୯ ଟଙ୍କାରେ ୭ ଦିନ ବୈଧତା ବିଶିଷ୍ଟ ପ୍ଲାନ୍ ମଧ୍ୟ କମ୍ପାନି ଲଞ୍ଚ କରିଛି ।

ଭୋଡ଼ାଫୋନ ସର୍ବଦା ଗ୍ରାହକଙ୍କ ଆବଶ୍ୟକତାକୁ ନଜରରେ ରଖି ସ୍କିମ ପ୍ରସ୍ତୁତ କରିଥାଏ । ସୁପର ପ୍ଲାନ ଗ୍ରାହକଙ୍କ ପାଇଁ ଉପଯୋଗୀ ହେବା ସହ ଗ୍ରାହକଙ୍କର ଆବଶ୍ୟକତା ମଧ୍ୟ ପୂରା କରିବ ବୋଲି ତାମିଲନାଡୁର ଭୋଡ଼ାଫୋନ ଇଣ୍ଡିଆର ମୁଖ୍ୟ ଏସ ମୁରଲୀ କହିଛନ୍ତି । ଏହି ସମସ୍ତ ପ୍ଲାନ କମ୍ପାନିର ପଞ୍ଜିକୃତ ଷ୍ଟୋର, ମାଇ ଭୋଡ଼ାଫୋନର ମୋବାଇଲ ଆପ ଆଦିରେ ଉପଲବ୍ଧ ଅଛି ।