ନୂଆ ନିରାପତ୍ତା ଓ ନିର୍ଗମନ ନୀତିର ପ୍ରଭାବ ! ମହଙ୍ଗା ହେବ କାର, ୮୦ ହଜାର ଟଙ୍କା ଯାଏଁ ବଢିପାରେ କାର ମୂଲ୍ୟ

42

ଆଗାମୀ ଦିନରେ କାର୍ ନିର୍ମାତାଙ୍କୁ କାରରେ ନିରପତ୍ତା ସୁବିଧା ସହିତ ନୂଆ ନିର୍ଗମନ ମାନକୁ କାର୍ଯ୍ୟକାରୀ କରିବାକୁ ହେବ । ଉଭୟ ନିରାପତ୍ତା ବ୍ୟବସ୍ଥା ଓ ନିର୍ଗମନ ମାନ କାର୍ଯ୍ୟକାରୀ କରାଗଲେ ଆଗାମୀ ଦିନରେ କାର ମହଙ୍ଗା ହୋଇଯିବ । ପେଟ୍ରୋଲ ଚାଳିତ କାର୍ ଗୁଡ଼ିକର ମୂଲ୍ୟ ୨୦୨୦ ଏପ୍ରିଲ ପହିଲାରୁ ଅତିକମରେ ୪୦ ହଜାର ଟଙ୍କା ଏବଂ ଡିଜେଲ କାର୍ ଗୁଡ଼ିକର ମୂଲ୍ୟ ଅତିକମରେ ୮୦ ହଜାର ଟଙ୍କା ବୃଦ୍ଧି ଘଟିବ ବୋଲି ଅଟୋମୋବାଇଲ ଶିଳ୍ପ ଆକଳନ କରିଛି । ଏତଦବ୍ୟତୀତ କାରରେ ବ୍ୟବହୃତ ଯନ୍ତ୍ରାଂଶ ଓ ଉପକରଣର ମୂଲ୍ୟ ବୃଦ୍ଧି ସହିତ ଟଙ୍କା ଓ ଡଲାର ମଧ୍ୟରେ ବିନିମୟ ମୂଲ୍ୟରେ ପରିବର୍ତ୍ତନ ଫଳରେ କାର ଗୁଡ଼ିକର ମୂଲ୍ୟ ମଧ୍ୟ ଆହୁରି ୨୦ ହଜାର ଟଙ୍କା ଯାଏଁ ବୃଦ୍ଧି ଘଟିବା ସମ୍ଭାବନା ରହିଛି ।

୨୦୧୯ ଜୁଲାଇ ପହିଲା ପରେ ଯେଉଁ କାର ନିର୍ମାଣ ହେବ ସେଗୁଡ଼ିକରେ ନିରାପତ୍ତା ଦୃଷ୍ଟିରୁ ଏୟାରବ୍ୟାଗ୍, ଆଣ୍ଟି-ଲକ୍ ବ୍ରେକିଂ ସିଷ୍ଟମ୍, ହାଇସ୍ପିଡ୍ ଆଲର୍ଟ ସୁବିଧା, ପଛୁଆ ପାର୍କିଂ ସହାୟତା ଏବଂ ସିଟ୍ ବେଲ୍ଟ ରିମାଇଣ୍ଡର ଆଦିକୁ ବାଧ୍ୟତାମୂଳକ କରାଯାଇଛି । ସଡ଼କ ଦୁର୍ଘଟଣାରେ ହେଉଥିବା ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ଲାଗି କାରରେ ଏସବୁ ସୁବିଧା ପ୍ରଦାନକୁ ସରକାର ବାଧ୍ୟତାମୂଳକ କରିବେ । ସରକାରୀ ତଥ୍ୟ ଅନୁଯାୟୀ, ଭାରତରେ ବର୍ଷକୁ ୧ ଲକ୍ଷ ୪୦ ହଜାରରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ୨୦୧୬ରେ ଦେଶରେ ଆତଙ୍କବାଦୀ କାର୍ଯ୍ୟ ଯୋଗୁଁ ମୃତ୍ୟୁ ଘଟିଥିବା ଲୋକଙ୍କ ସଂଖ୍ୟା ତୁଳନାରେ ସଡ଼କ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ୪୦୦ ଗୁଣ ଅଧିକ। ପ୍ରାୟ ୭୮ ପ୍ରତିଶତ ସଡ଼କ ଦୁର୍ଘଟଣା ଡ୍ରାଇଭରଙ୍କ ତ୍ରୁଟି ଯୋଗୁଁ ହେଉଛି ।

କେଉଁଥିରେ କେତେ ଖର୍ଚ୍ଚ

ଏବେ କେତେକ କାର୍ ନିର୍ମାତା ଆଗ ସିଟ୍ ଦୁଇଟି ପାଇଁ ଏୟାରବ୍ୟାଗ୍ ପ୍ରଦାନ କରୁଛନ୍ତି । କିନ୍ତୁ ୨୦୧୯ ଜୁଲାଇ ପହିଲାରୁ ସବୁ ସିଟ୍ ପାଇଁ ଏୟାରବ୍ୟାଗକୁ ବାଧ୍ୟତାମୂଳକ କରାଯିବ। ପ୍ରତ୍ୟେକ ଏୟାରବ୍ୟାଗ୍ ସହିତ ଫିତା ବାବଦରେ ପ୍ରାୟ ୧୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଉଛି । ସେହିଭଳି ଗାଡ଼ିର କ୍ରାସ ଟେଷ୍ଟ ପାଇଁ ଭାରତରେ ନୂଆ କାର ଆକଳନ ପ୍ରୋଗ୍ରାମ୍ (ଏନସିଏପି)କୁ ମଧ୍ୟ କମ୍ପାନି ଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଏ ବାବଦରେ ମଧ୍ୟ କମ୍ପାନିଙ୍କୁ ଅଧିକ ଖର୍ଚ୍ଚ କରିବାକୁ ହେବ । ଏଥିସହିତ ପାର୍କିଂ ସମୟରେ ଗାଡ଼ି ପଛକୁ ନେବାବେଳେ ସେଗୁଡିକରେ ସେନସର ଲାଗିବ । ଏହି ସେନସର ଫିଟିଂ ପାଇଁ ଅତିକମରେ ୧୦୦୦ ଟଙ୍କା ଖର୍ଚ ହେବ ।

ଏତଦବ୍ୟତୀତ କ୍ୟାମେରା ଓ ଡିସପ୍ଲେ ବ୍ୟବସ୍ଥା ପାଇଁ ପ୍ରାୟ ୮୦୦୦ ଟଙ୍କା ଖର୍ଚ ହେବ । ସେହିଭଳି କାରରେ ସ୍ପିଡ୍ ଆଲର୍ଟ ସିଷ୍ଟମ୍ ଲଗାଇବା ବାବଦରେ ମଧ୍ୟ ନିର୍ମାତାମାନଙ୍କୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ । କିନ୍ତୁ ୨୦୨୦ରେ ଭାରତ ଷ୍ଟେଜ୍-୬ ନିର୍ଗମନ ମାନ କାର୍ଯ୍ୟକାରୀ କରାଗଲେ ଏ ବାବଦରେ ପେଟ୍ରୋଲ କାରର ମୂଲ୍ୟ ୨୦ରୁ ୩୦ ହଜାର ଟଙ୍କା ଏବଂ ଡିଜେଲ କାର ମୂଲ୍ୟ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ିଯିବ । ଭାରତ ଷ୍ଟେଜ-୬ ନିର୍ଗମନ ନିୟମ କାର୍ଯ୍ୟକାରୀ ହେଲେ ପେଟ୍ରୋଲ ଓ ଡିଜେଲ କାର ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ବଢ଼ିଯିବ । ଏବେ ପେଟ୍ରୋଲ ଏବଂ ଡିଜେଲ କାର ମୂଲ୍ୟ ମଧ୍ୟରେ ପାର୍ଥକ୍ୟ ୮୦ ହଜାରରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହୁଛି ।