ରେଳବାଇ ପକ୍ଷରୁ ଜାରି ହେଲା ନୂଆ ମୋବାଇଲ୍ ଆପ୍ ! ଏଣିକି ‘ରେଲ୍ ସାରଥୀ’ ଜରିଆରେ ଯାତ୍ରୀଙ୍କୁ ମିଳିବ ଏକାଧିକ ସେବା

30

ରେଳବାଇ ପକ୍ଷରୁ ଆରମ୍ଭ ହୋଇଛି ଏକ ନୂଆ ମୋବାଇଲ ଆପ୍ । ଯାହାର ନାଁ ରଖାଯାଇଛି ‘ରେଲ୍ ସାରଥୀ’ । ପୂର୍ବରୁ ବିଭିନ୍ନ ପ୍ରକାର ରେଳ ସେବା ପାଇବା ପାଇଁ ବିଭିନ୍ନ ମୋବାଇଲ ଆପ୍ ରହିଥିବାବେଳେ ଏବେ ଏହି ଗୋଟିଏ ଆପ୍ ମାଧ୍ୟମରେ ଏକାଧିକ ସେବା ପାଇହେବ । ଫଳରେ ଯାତ୍ରୀମାନଙ୍କୁ ଆଉ ଭିନ୍ନ ଭିନ୍ନ ଆପ୍ ଡାଉନଲୋଡ କରିବାର ଆବଶ୍ୟକତା ରହିବ ନାହିଁ । ନୂଆ ଆପ୍ ସହାୟତାରେ ରେଳରେ ଟିକଟ ବୁକିଂଠାରୁ ଆରମ୍ଭ କରି ଅନୁସନ୍ଧାନ, ବଗି ସଫେଇ, ଖାଦ୍ୟ ମଗାଇବା ଭଳି ସମସ୍ତ ସେବା ମିଳିପାରିବ ।

ଏହି ଆପକୁ ରେଳମନ୍ତ୍ରୀ ସୁରେଶ ପ୍ରଭୁ ଉନ୍ମୋଚନ କରିଛନ୍ତି । ଯାତ୍ରୀଙ୍କୁ ଏହି ନୂଆ ଆପ୍ ଉତ୍ତମ ଅନୁଭତି ପ୍ରଦାନ କରିବ ବୋଲି ରେଳମନ୍ତ୍ରୀ କହିଛନ୍ତି । ଏତଦବ୍ୟତୀତ ତୃତୀୟ ଶ୍ରେଣି ଏସି ବଗିରେ ଦିବ୍ୟାଙ୍ଗଙ୍କ ପାଇଁ ସଂରକ୍ଷଣ ସୁବିଧା ଆରମ୍ଭ କରାଯାଇଛି । ସେହିଭଳି ବିଦେଶୀଙ୍କ ପାଇଁ ରେଳର ଅଗ୍ରିମ ବୁକିଂ ସେବା ବର୍ତ୍ତମାନର ୧୨୦ ଦିନ ପରିବର୍ତ୍ତେ ୩୬୫ ଦିନକୁ ବୃଦ୍ଧି କରାଯାଇଛି ।