ରାହୁଲଙ୍କ ସଭ୍ୟପଦ ରଦ୍ଦକୁ ନେଇ ପ୍ରତିକ୍ରିୟା ରଖିଲେ ସୌମ୍ୟରଞ୍ଜନ । କହିଲେ, ଉଭୟ ମୋଦୀ ଓ ରାହୁଲଙ୍କୁ ଶିକ୍ଷା ଲାଭ କରିବାର ଅଛି ।

1,396

କନକ ବ୍ୟୁରୋ : ରାହୁଲ ଗାନ୍ଧୀଙ୍କ ସଭ୍ୟପଦ ରଦ୍ଦକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହାଦ୍ୱାରା କାହାର ଲାଭ ହେବ ଓ କାହାର କ୍ଷତି ହେବ ତାହା ବିଚାର କଲେ ଜାଣିପାରିବେ ଯେ ଏହା ପଛରେ କଣ ଅଛି । ନରେନ୍ଦ୍ର ମୋଦି ବିଶ୍ୱ ଗୁରୁ ହେବାକୁ ଚାହୁଁଛନ୍ତି । ରାହୁଲ ଗାନ୍ଧୀଙ୍କୁ ଜେଲ ପଠାଇ ସେ କଣ ହାସଲ କରିପାରିବେ ? ଏକଥା ସେ ନିଜେ ଚିନ୍ତା କରିବା ଦରକାର ।

ରାହୁଲ ଗାନ୍ଧୀ ବାରମ୍ବାର ନିର୍ବାଚନ ହାରୁଛନ୍ତି, ଅପଶବ୍ଦ ବା ନିଜ ଜିଭ ଉପରେ ନିୟନ୍ତ୍ରଣ ନ ରଖି ଅଯଥାରେ ଅନ୍ୟକୁ ସମାଲୋଚନା କରିଚାଲିଲେ ଭୋଟ ମିଳିବ ଏକଥା ଭାବିବା ଉଚିତ ନୁହେଁ । ଉଭୟଙ୍କୁ ଶିକ୍ଷା ଲାଭ କରିବାର ଅଛି । ରାହୁଲଙ୍କୁ ନିଜ ଜିଭ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ନରେନ୍ଦ୍ର ମୋଦି ବିଶ୍ୱଗୁରୁ ହେବାକୁ ଚାହୁଁଛନ୍ତି, ଏତେ କ୍ଷମତାର ଅଧିକାରୀ ରାହୁଲ ଗାନ୍ଧୀଙ୍କୁ କାହିଁକି ଡରୁଛନ୍ତି । ରାହୁଲଙ୍କୁ ଡରିଲେ ସେ ବିଶ୍ୱ ଗୁରୁ ହେବେ କିପରି ? ପ୍ରତିପକ୍ଷଙ୍କ ମୁହଁକୁ ବନ୍ଦ କରିବା ପାଇଁ, କ୍ଷମତା ଏବଂ କୌଶଳ ପ୍ରୟୋଗ କରଯାଉଛି ଯେଉଁ ଅଭିଯୋଗ ହେଉଛି ତାହା ସ୍ପୃହଣୀୟ ନୁହେଁ । ନରେନ୍ଦ୍ର ମୋଦି ଯେଉଁ ସ୍ତରରେ ଅଛନ୍ତି ଏବଂ ଯେଉଁ ସ୍ତରକୁ ଯିବାକୁ ଚାହୁଁଛନ୍ତି ଏ କୌଶଳ ଆଦୌ ସ୍ପୃହଣୀୟ ନୁହେଁ । ରାହୁଲ ଗାନ୍ଧୀ ପୁଣି ଲୋକମାନଙ୍କ ଆଦରଣୀୟ ହେବାକୁ ଚାହୁଛନ୍ତି ସେ ମଧ୍ୟ ନିଜ ଜିହ୍ୱା ଉପରେ ନିୟନ୍ତ୍ରଣ ରଖିବା ଉଚିତ ।