ରାହୁଲଙ୍କ ପରେ ସୋସିଆଲ୍ ମିଡିଆରେ ଭାଇରାଲ ହେଲା ଅନୁରାଗ ଠାକୁରଙ୍କ ଭାଷଣ । ପୂର୍ବରୁ ବିବାଦୀୟ ବୟାନ ରଖିଥିଲେ କେନ୍ଦ୍ରମନ୍ତ୍ରୀ ।

283

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଦଣ୍ଡବିଧାନ ହେବା ଓ ତାପରେ ତାଙ୍କର ଲୋକସଭା ସଭ୍ୟ ପଦ ଯିବାପରେ ଜୋର ଧରିଛି ଆକ୍ଷେପ ପ୍ରତିଆକ୍ଷେପ । ଶାସକ ଓ ବିରୋଧୀ ଦଳ ନେତା ପୂର୍ବରୁ କ’ଣ ବିବାଦୀୟ ବୟାନ ଦେଇଥିଲେ, ତାହା ପୁଣି ଚର୍ଚ୍ଚାକୁ ଫେରିଛି । ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ୨୦୨୦ରେ ଦିଲ୍ଲୀରେ ଦେଇଥିବା ଏକ ବୟାନ ଭାଇରାଲ ହେଉଛି । ଯେଉଁଥିରେ ଅନୁରାଗ ଠାକୁର ଏକ ଜନସଭାକୁ ସମ୍ବୋଧନ କରି ଉସକାଇବା ଭଳି ବୟାନ ଦେଇଥିଲେ । ସେ କହିିଥିଲେ ଦେଶଦ୍ରୋହୀଙ୍କୁ…ଆଉ ସେହି ସଭାରେ ଉପସି୍ଥତ ଥିବା ଲୋକମାନେ କହିଥିଲେ ଗୁଳିମାର । ତାପରେ ଅନୁରାଗ ଠାକୁର ଖୁସିରେ ତାଳି ମାରିଥିଲେ । କେଉଁମାନେ ଦେଶଦ୍ରୋହୀ ବୋଲି ପଚାରିଥିଲେ । ଆଉ ତାପରେ ରାହୁଲ ଗାନ୍ଧୀ ଓ ଅରବିନ୍ଦ କେଜ୍ରିୱାଲଙ୍କ ନାଁ କହିଥିଲେ ଲୋକେ । ଏନେଇ ମାମଲା କୋର୍ଟରେ ପହଁଚିଥିଲା । ଅନୁରାଗଙ୍କ ବିରୋଧରେ ସିପିଏମ ନେତ୍ରୀ ବ୍ରିନ୍ଦା କାରାତ କୋର୍ଟରେ ଆବେଦନ କରିଥିଲେ । ଆଉ ଏହି ମାମଲାରେ ଦିଲ୍ଳୀ ହାଇକୋର୍ଟ କହିଥିଲେ ନିର୍ବାଚନ ସମୟରେ ଦିଆଯାଉଥିବା ଭାଷଣ ଓ ଅନ୍ୟ ସମୟରେ ଦିଆଯାଉଥିବା ଭାଷଣରେ ତଫାତ୍ ରହିଛି । ଏଥିସହ ଯଦି ଜଣେ ହସି ହସି କିଛି ବୟାନ ଦେଉଛନ୍ତି, ତାହା ଅପରାଧ ନୁହେଁ ବୋଲି ମଧ୍ୟ କହିଥିଲେ କୋର୍ଟ । ଦିଲ୍ଲୀ ହାଇକୋର୍ଟ ଅନୁରାଗଙ୍କ ବୟାନକୁ ନେଇ ଏଭଳି ରାୟ ଦେଇଥିବାବେଳେ, ରାହୁଲଙ୍କ ପାଇଁ ସୁରତ ସେସନ୍ସ କୋର୍ଟ ଦଣ୍ଡଦେବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ ।