ଉତର ଭାରତରେ ଖସିଲା ପାରା ! ଆଗାମୀ ଦୁଇ ଦିନ ଯାଏ ଜାରି ରହିବ ତୁଷାରପାତ

46

କନକ ବ୍ୟୁରୋ : କାଶ୍ମୀର, ଉତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ତୁଷାରପାତ । ଏହାସହ କେତେକ ଅଂଚଳରେ ବର୍ଷା ମଧ୍ୟ ହୋଇଛି । ସିମଲା ସମେତ ହିମାଚଳର ଅନେକ ସ୍ଥାନରେ ଶୁକ୍ରବାର ବିଳମ୍ବିତ ରାତିରୁ ତୁଷାରପାତ ହେଉଛି ।

ଘାଟି ଅଂଚଳରେ ଲଗାତର ଭାବେ ବରଫ ପଡୁଥିବା ଯୋଗୁଁ ସାଧାରଣଜୀବନ ଯାତ୍ରା ବ୍ୟାହତ ହୋଇଛି । ତେବେ ତୁଷାରପାତ ଯୋଗୁଁ ସିମଲା, କୁର୍ଫି, ନାରକାଣ୍ଡା,ଓ ମଶୋବରା ଆଦି ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

କେତେକ ଅଂଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । ତେବେ ଏଠାରେ ଥିବା ପର୍ଯ୍ୟଟକମାନେ ଏହାର ଭରପୂର ମଜା ଉଠାଇଛନ୍ତି । ଖରାପ ପାଗ ଯୋଗୁଁ କୁଲୁ, ଲାହୋଲ ଓ ଚମ୍ବାରେ ଆଲର୍ଟ ଜାରି କରାଯାଇଛି । ସେପଟେ କାଶ୍ମୀରରେ ଲଗାତର ୪ଦିନ ହେଲା ଜାରି ରହିଛି ତୁଷାରପାତ । ଫଳରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହାସହ ବିମାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।

ପ୍ରବଳ ତୁଷାରପାତ ଯୋଗୁଁ କାଶ୍ମୀରରେ ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି । ଆଗାମୀ ଦୁଇ ଦିନ ପର୍ୟ୍ୟନ୍ତ ତୁଷାରପାତ ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଉତରାଖଣ୍ଡର କେଦାରନାଥ, ବଦ୍ରିନାଥ, ଯମୁନୋତ୍ରୀ ଓ ଗଙ୍ଗୋତ୍ରୀ ମଧ୍ୟ ତୁଷାରପାତ ହୋଇଛି ।

ନୈନିତାଲ, ପିଥୋରାଗଡରେ ମଧ୍ୟ ସ୍ନୋ-ଫଲ୍ ହୋଇଛି । ଆଗାମୀ ୩୬ ଘଂଟାରେ ଉତରକାଶୀ, ରୁଦ୍ରପ୍ରୟାଗ,ଚମୋଲି, ବାଗେଶ୍ୱର ଓ ପିଥୋରାଗଡରେ ପ୍ରବଳ ତୁଷାରପାତ ହେବବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।