ପଶ୍ଚିମବଙ୍ଗରେ ମୁହାଁମୁହିଁ ଟିଏମସି–ବିଜେପି । ମମତାଙ୍କୁ ଏକଛତ୍ରବାଦ ଓ ସମ୍ବେଦନହୀନ କହିଲେ ଶିବରାଜ ସିଂ ଚୌହାନ । ଦିଦିଙ୍କ ଜବାବ, ବିଜେପି ଦୁର୍ନୀତିଗ୍ରସ୍ତ । 

134

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ତାତି ସେତିକି ବଢୁଛି । ବିଧାନସଭା ନିର୍ବାଚନକୁ ନେଇ ମୁହାଁମୁହିଁ ହୋଇଛନ୍ତି ଟିଏମସି ଓ ବିଜେପି । ଦିଦିଙ୍କ ଗଡକୁ ହାତେଇବାକୁ ବଳ ଲଗାଇଦେଇଛି ବିଜେପି । ଦଳୀୟ ବରିଷ୍ଠ ନେତା ଏବେ ପଶ୍ଚିମବଙ୍ଗରୁ ମମତା ବାନାର୍ଜିଙ୍କୁ ହଟାଇବାକୁ ରାଲି ଓ ଜନସଭା କରି ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗିପଡିଛନ୍ତି । ପଶ୍ଚିମବଙ୍ଗ ମେଦିନିପୁରରେ ଜନସଭା କରି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ  ଦିଦିଙ୍କୁ ଏକଛତ୍ରବାଦ ଓ ସମ୍ବେଦନହୀନ ବୋଲି କହିଛନ୍ତି । ସେପଟେ ବିଜେପିକୁ ଦୁର୍ନୀତି ଘୋର ବୋଲି କହିଛନ୍ତି ମମତା ବାନାର୍ଜି ।

ମେଦିନିପୁରରେ ନିର୍ବାଚନୀ ପ୍ରଚାର କରୁଥିବା ଶିବରାଜ ସିଂ ଚୌହାନ, ମମତା ବାନାର୍ଜିଙ୍କୁ ଏକଛତ୍ରବାଦ ବୋଲି କହିବା ସହ ଏଥର ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ ବୋଲି ଦୃଢୋକ୍ତି ବାଢିଛନ୍ତି । ରାଜ୍ୟରେ ଆମେ ବିଜେପିକୁ ଦେଖିବାକୁ ଚାହୁଁନାହୁଁ ବୋଲି ଜନସଭାରେ କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି ଯେ ପଶ୍ଚିମବଙ୍ଗ ଦଙ୍ଗାକାରୀ, ଲୁଟେରା, ଦୁଃଶାସନ ଓ ଦୁର୍ଯ୍ୟୋଧନକୁ ଚାହୁଁନାହିଁ ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ନେତାଙ୍କ ଆରୋପ ପ୍ରତ୍ୟାରୋପ ବଢିଥିବା ବେଳେ ରାଜନୀତି ସରଗରମ ହେବାରେ ଲାଗିଛି । ଭୋଟ ବ୍ୟାଙ୍କ ହାତେଇବାକୁ ପରସ୍ପର ଉପରେ ଅଧିକ ଆକ୍ରମଣାତ୍ମକ ହୋଇପଡିଛନ୍ତି ଉଭୟ ଭାରତୀୟ ଜତନା ପାର୍ଟି ଓ ତୃଣମୂଳ କଂଗ୍ରେସ ।