ସର୍ବସାଧାରଣରେ ହୋଲି ପାଳନକୁ ବନ୍ଦ କଲେ ରାଜ୍ୟ ସରକାର । କେବଳ ଘରେ ହୋଲି ପାଳନ କରିବାକୁ ପରାମର୍ଶ । 

195

କନକ ବ୍ୟୁରୋ: କରୋନା ଭୟ ଭିତରେ ରାଜ୍ୟରେ ହୋଲି ଖେଳ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର ।  ଚଳିତ ବର୍ଷ କେବଳ ଘର ଭିତରେ ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଲେ ଏସଆରସି । କୋଭିଡ୍ ଦ୍ୱିତୀୟ ଲହର ଭିତରେ ରାଜ୍ୟରେ ହୋଲି ପାଳନକୁ କଟକଣାଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏନେଇ ଏସଆରସି ତରଫରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଏଥିରେ କୁହାଯାଇଛି, ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଦେଖିବାକୁ ମିଳୁଛି । ତେଣୁ ଏଭଳି ପରିସ୍ଥିତିରେ ହୋଲି ପାଳନ ହେଲେ ଅଧିକ ଲୋକ ଏକାଠି ହେବାର ଆଶଙ୍କା ରହିଛି । ତେଣୁ ହୋଲିକୁ ଚଳିତ ବର୍ଷ କେବଳ ଘର ଭିତରେ ପାଳନ କରିବାକୁ ରାଜ୍ୟ ସରକାର ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ଏହାସହ ଦୋଳ ମେଳଣକୁ ମଧ୍ୟ ରାଜ୍ୟ ସରକାର ମନା କରିଛନ୍ତି । କେବଳ ମନ୍ଦିରରେ ରୀତିନୀତି ପାଳନ ହେବ । ଏହା ବ୍ୟତୀତ ସର୍ବସାଧାରଣରେ କୌଣସି ପର୍ବ ପାଳନ ହେବନି ବୋଲି  କୁହାଯାଇଛି । ଚଳିତ ବର୍ଷ ୨୮ ଓ ୨୯ ତାରିଖରେ ଏହି ରଙ୍ଗର ପର୍ବ ପାଳନ ହେବାକୁ ଥିଲା । କିନ୍ତୁ କୋଭିଡ୍ ଭୟ ଭିତରେ ହୋଲି ପାଳନ ହେଲେ ସଂକ୍ରମଣ ବୃଦ୍ଧି ପାଇବ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ କହିଥିଲେ । ଏହାପରେ ରାଜ୍ୟ ସରକାର ଗାଇଡଲାଇନ୍ ଆଣି ହୋଲିକୁ କଟକଣାଯୁକ୍ତ କରିଛନ୍ତି ।

Comments are closed.