ଓମିକ୍ରନ ଆତଙ୍କ : ପୁଣି ଆଶଙ୍କାରେ ଚଳଚ୍ଚିତ୍ର ଶିଳ୍ପ; ଘୁଞ୍ଚିଲା ‘ଜର୍ସି’ର ରିଲିଜ୍ ତାରିଖ

97

କନକ ବ୍ୟୁରୋ : ଡିସେମ୍ବର ୩୧ ତାରିଖ ଦିନ ୨୦୨୧ର ଶେଷ ବଲିଉଡ୍ ଚଳଚ୍ଚିତ୍ର ଭାବେ ରିଲିଜ୍ ହେବାର ଥିଲା ସାହିଦ୍ କପୁରଙ୍କ ଅଭିନୀତ ‘ଜର୍ସି’ ଚଳଚ୍ଚିତ୍ର । ତେବେ ବଢୁଥିବା ଓମିକ୍ରନର ମାମଲ ପାଇଁ ବିଭିନ୍ନ ରାଜ୍ୟର ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି । କେତେକ ରାଜ୍ୟର ସରକାର ୫୦ ପ୍ରତିଶତ ଦର୍ଶକଙ୍କ ସହ ସିନେମା ହଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି । ଦିଲ୍ଲୀ ସରକାର ଡିସେମ୍ବର ୨୮ ତାରିଖ ସିନେମା ଘରଗୁଡିକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବିଭିନ୍ନ ରାଜ୍ୟ ସରକାରଙ୍କ ଏପରି କଟକଣା ଯୋଗୁଁ ଚଳଚ୍ଚିତ୍ର ରିଲିଜ୍ କଲେ ବ୍ୟବସାୟ କ୍ଷତିଗ୍ରସ୍ତ ହେବ ବୋଲି ନିର୍ମାତାମାନେ ଭାବୁଛନ୍ତି । ତେଣୁ ‘ଜର୍ସି’ ଚଳଚ୍ଚିତ୍ର ନିର୍ମାତା ଡିସେମ୍ବର ୩୧ ତାରିଖ ରିଲିଜ୍ ହେବାକୁ ଥିବା ଜର୍ସି ଚଳଚ୍ଚିତ୍ରକୁ ନିର୍ଦ୍ଧାରିତ ତାରିଖ ଦିନ ରିଲିଜ୍ ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ‘ଜର୍ସି’ର ନିର୍ମାତା ପୁଣି କେତେ କାରିଖ ‘ଜର୍ସି’ ରିଲିଜ୍ ହେବ ସେ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି ।

‘ଜର୍ସି’ କ୍ରିକେଟ ଆଧାରିତ ଏକ ଚଳଚ୍ଚିତ୍ର ଅଟେ । ଏହା ୨୦୧୯ ମସିହାରେ ତେଲୁଗୁରେ ରିଲିଜ୍ ହୋଇଥିବା ‘ଜର୍ସି’ ଚଳଚ୍ଚିତ୍ରର ରିମେକ୍ ଅଟେ । ଅନ୍ୟପକ୍ଷରେ ‘୮୩‘ ଚଳଚ୍ଚିତ୍ରର ନିର୍ମାତା କହିଛନ୍ତି ଦର୍ଶକଙ୍କ ଠାରୁ ଅତ୍ୟଧିକ ପ୍ରଶଂସା ଓ ଭଲପାଇବା ପାଇବାପରେ ମଧ୍ୟ ‘୮୩‘ ଭଲ ବ୍ୟବସାୟ କରିପାରୁ ନାହିଁ କାରଣ ବିଭିନ୍ନ ରାଜ୍ୟ ସରକାର ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ।

ବଢୁଥିବା ଓମିକ୍ରନ ମାମଲା ଯୋଗୁଁ ଜାନୁୟାରୀ ୨୦୨୨ରେ ରିଲିଜ୍ ହେବାକୁ ଥିବା ବହୁ ପ୍ରତୀକ୍ଷିତ ସିନେମାଗୁଡିକ ମଧ୍ୟ ରିଲିଜ୍ ହେବା ନେଇ ଆଶଙ୍କା ଦେଖା ଦେଇଛି । ଜାନୁୟାରୀରେ ରିଲିଜ୍ ହେବାକୁ ଥିବା ବହୁ ପ୍ରତୀକ୍ଷିତ ବିଗ୍ ବଜେଟ୍ ତାରକାଖଚିତ ଚଳଚ୍ଚିତ୍ରଗୁଡିକ ହେଲା ‘ଆରଆରଆର୍’, ‘ରାଧେଶ୍ୟାମ୍’, ଓ ‘ପୃଥ୍ଵିରାଜ’।

‘ଆରଆରଆର୍’ରେ ଜୁନିୟର୍ ଏନଟିଆର୍,ରାମଚରଣ,ଅଜୟ ଦେବଗନ,ଆଲିଆ ଭଟ୍ଟ ଭଳି କଳାକାର ଅଛନ୍ତି । ‘ଆରଆରଆର୍’ ଚଳଚ୍ଚିତ୍ରକୁ ‘ବାହୁବଳି’ ଚଳଚ୍ଚିତ୍ର ସିରିଜର ନିର୍ଦେଶକ ଏସ.ଏସ୍.ରାଜାମୌଲି ନିର୍ଦେଶନା ଦେଇଛନ୍ତି । ‘ରାଧେଶ୍ୟାମ୍’ ଚଳଚ୍ଚିତ୍ରରେ ‘ବାହୁବଳି’ର ନାୟକ ପ୍ରଭାସ ମୁଖ୍ୟ ଭୂମିକାରେ ଅଛନ୍ତି ।

‘ପୃଥ୍ଵିରାଜ’ ରେ ଅକ୍ଷୟ କୁମାର ମୁଖ୍ୟଭୂମିକାରେ ଅଭିନୟ କରିଛନ୍ତି । ‘ଆରଆରଆର୍’ ଚଳଚ୍ଚିତ୍ର ୭,ଜାନୁୟାରୀ ୨୦୨୨ରେ ରିଲିଜ୍ ହେବାକୁ ସ୍ଥିର ହୋଇଛି । ‘ରାଧେଶ୍ୟାମ୍’ ଓ ‘ପୃଥ୍ଵିରାଜ’ ଯଥାକ୍ରମେ ଜାନୁୟାରୀ ୧୪ ଓ ଜାନୁୟାରୀ ୨୧ ତାରିଖ ରିଲିଜ୍ ହେବାକୁ ସ୍ଥିର ହୋଇଛି ।