ବଜେଟ୍ ଆସିଲା, ସେୟାର ବଜାର ଖସିଲା । ନିବେଶକ ଏବେ ଚିନ୍ତାରେ ! ସେନସେକ୍ସ ୪୦୬ ପଏଂଟ ଓ ନିଫ୍ଟିର ୧୨୯ ପଏଂଟ ହ୍ରାସ୍

28

କନକ ବ୍ୟୁରୋ: ବଜେଟ ପରେ ଲଗାତାର ତୃତୀୟ ଦିନ ଲାଗି ସେୟାର ବଜାରରେ ହାହାକାର ଜାରି ରହିଛି । ନିବେଶକ ଏବେ ବି ଚିନ୍ତାରେ ଅଛନ୍ତି । ଦୁଇଦିନ ବନ୍ଦ ରହିବା ପରେ ଆଜି ବି ସେୟାର ବାଜରରେ ମାନ୍ଦା ପରିସ୍ଥିତି ଦେଖାଦେଇଛି । ଦୁଇଦିନ ବନ୍ଦ ରହିବା ପରେ ସେନସେକ୍ସ ୪ ଶହ ପଂଏଟ ହ୍ରାସ ପାଇ ୩୪ ହଜାର ୬୬୬ରୁ କାରବାର ଆରମ୍ଭ କରିଛି । ସେହିଭଳି ନିଫଟି ରେ ୧୨୯ ପଂଏଟ ହ୍ରାସ ପାଇଛି । ଶୁକ୍ରବାରଦିନ ବି ସେୟାର ବଜାରରେ ମାନ୍ଦା ପରିସ୍ଥିତି ଦେଖାଦେଇଥିଲା । ବ୍ୟବସାୟୀଙ୍କ କହିବା କଥା ହେଲା, ବଜେଟ ଯୋଗୁଁ ସେୟାର ମାର୍କେଟରେ ନିରାଶ ଦେଖାଦେଇଛି । ଲଙ୍ଗ ଟର୍ମ କ୍ୟାପିଟାଲ ଗେନ୍ ଟ୍ୟାକ୍ସ ଯୋଗୁଁ ବି ନିବେଶକ ଚିନ୍ତାରେ ଅଛନ୍ତି ।

ଉଲ୍ଲେଖଥାଉ କି, ସେୟାର ବଜାର ଉପରେ ବଜେଟର ବଡ ପ୍ରଭାବ । ଗୁରୁବାର ତଥା ଚଳିତମାସ ପହିଲାରେ ମୋଦି ସରକାର ୨୦୧୮-୧୯ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବା ପରେ ସେନସେକ୍ସ ଓ ନିଫ୍ଟି ପ୍ରଭାବିତ ହୋଇଛି । ଯାହାର ସିଧା ପ୍ରଭାବ ଉଭୟ ସେୟାର ବଜାରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ବଜେଟ୍ ଆସିଲା, ସେୟାର ବଜାର ଖସିଲା । ଜେଟଲୀଙ୍କ ବଜେଟକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି ଦଲାଲ୍ ଷ୍ଟ୍ରିଟ୍ । ଶୁକ୍ରବାର ଦିନ ମୁମ୍ବାଇ ଷ୍ଟକ ଏକସଚେଂଜରେ ଝଡ଼ ବହିଛି । ପଂଜିକୃତ କଂପାନୀଙ୍କ ମୋଟ ୧୫୩ ଲକ୍ଷ କୋଟି ଟଙ୍କାର ପୁଂଜିବଜାର ଗୋଟିଏ ଦିନରେ ପ୍ରାୟ ୪ ଲକ୍ଷ ୭୦ ହଜାର କୋଟି ଟଙ୍କାର ପୁଂଜି ହରାଇଛି । ୨୫୦୦ରୁ ଅଧିକ କଂପାନୀ କ୍ଷତି ସହିଥିବା ବେଳେ ମାତ୍ର ୩୦୦ କଂପାନୀର ସେୟାରରେ ବୃଦ୍ଧି ଘଟିଛି । ଛୋଟ ଓ ମଧ୍ୟମ ଧରଣର କଂପାନୀଗୁଡିକୁ ଅଧିକ କ୍ଷତି ସହିବାକୁ ପଡିଛି । ସୋମବାର ଦିନ ମଧ୍ୟ ସେୟାର ବଜାରରେ ଅନୁରୂପ କ୍ଷତି ଘଟିବା ଆକଳନ କରିଛନ୍ତି ବଜାର ବିଶେଷଜ୍ଞ ।

ସେନସେକସରେ ୮୩୯.୯୧ ପଏଂଟ୍ ଅର୍ଥାତ୍ ୨.୩୪ ପ୍ରତିଶତ ହ୍ରାସ ଘଟିଛି । ଶୁକ୍ରବାର କାରବାରର ଶେଷ ବେଳକୁ ସେନସେକସ ୩୫,୦୬୬ ପଏଂଟକୁ ଖସି ଆସିଛି । ସେପଟେ ନିଫ୍ଟି ୨୫୬.୩୦ ପଏଂଟ ଅର୍ଥାତ ୨.୩୩ ପ୍ରତିଶତ ହ୍ରାସ ପାଇଛି । ୧୦, ୭୬୦ ପଏଂଟକୁ ଖସିଆସିଛି ନିଫ୍ଟି । ତେବେ ସବୁଠୁ ବେଶୀ କ୍ଷତି ସହିଛନ୍ତି ମିଡ୍ କ୍ୟାପ୍ ଓ ସ୍ମଲ୍ କ୍ୟାପରେ କରିଥିବା ନିବେଶକ । କାରଣ ପାଖାପାଖି ୪ ପ୍ରତିଶତ ହୋଇଛି ସେମାନଙ୍କ କ୍ଷତି । ଯଦି ଏହିସବୁ ଷ୍ଟକରେ ଆପଣ ୫ ଲକ୍ଷ ନିବେଶ କରିଛନ୍ତି, ତେବେ ଗୋଟିଏ ଦିନରେ ହରାଇଛନ୍ତି ୨୦ ହଜାର ଟଙ୍କା । ୧୦ ଲକ୍ଷ ଟଙ୍କାର ନିବେଶକ ହରାଇଛନ୍ତି ୪୦ ହଜାର ଟଙ୍କା । ୧ କୋଟି ଟଙ୍କା ସେୟାର ମାର୍କେଟରେ ନିବେଶ କରିଥିଲେ ୪ ଲକ୍ଷ ଟଙ୍କା ହରାଇଛନ୍ତି ଗୋଟିଏ ଦିନରେ ।

ମାର୍କେଟ୍ ଏକ୍ସପର୍ଟଙ୍କ ମତରେ ବଜେଟରେ ଦୀର୍ଘ ମିଆଦୀ ନିବେଶର ଲାଭାଂଶ ଉପରେ ୧୦ ପ୍ରତିଶତ ଟିକସ ବସାଇବା ପରେ ସେୟାର ବଜାର ଉପରେ ମୁହଁ ଫେରାଇ ନେଇଛନ୍ତି ନିବେଶକ । ସେହିପରି ବିତ୍ତୀୟ ନିଅଂଟ ବୃଦ୍ଧି, ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି, ସରକାରଙ୍କ ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଘୋଷଣା ପରେ ଉପୁଜିଥିବା ଦ୍ୱନ୍ଦ୍ୱ ଯୋଗୁଁ ପ୍ରଭାବିତ ହୋଇଛି ସେୟାର ବଜାର ।