ତାଣ୍ଡବ ରଚିଲା ‘ତାଉ ତେ’ : ଗୁଜୁରାଟ ସୌରାଷ୍ଟ୍ରରେ ବ୍ୟାପକ କ୍ଷତି ଘଟାଇଲା ବାତ୍ୟା

533

କନକ ବ୍ୟୁରୋ : ଗୁଜରାଟ ସୌରାଷ୍ଟ୍ରରେ ଗତକାଲି ରାତିରେ ଅତି ପ୍ରବଳ ବାତ୍ୟା ଆକାରରେ ‘ତାଉ ତେ’ ଲ୍ୟାଣ୍ଡଫଲ କରିବା ପରେ ବ୍ୟାପକ କ୍ଷୟକ୍ଷତି କରିଛି । ଆଜି ସକାଳୁ ଏହା ପ୍ରବଳ ବାତ୍ୟା ଆକାରରେ ଗୁଜରାଟ ଆମରେଲିର ୧୦ କିଲୋମିଟର ଦକ୍ଷିଣ ଏବଂ ଅହମ୍ମଦାବାଦର ଦକ୍ଷିଣ, ଦକ୍ଷିଣ ପଶ୍ଚିମ ଦିଗକୁ ୨୩୦ କିଲୋମିଟର ଦୂରରେ ରହିଛି । ଆଜି ସଂଧ୍ୟା ୬ଟା ପରେ ଏହା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଂଟାରେ ଅବପାତେରେ ପରିଣତ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

ତେବେ ଗୁଜରାଟ ସୌରାଷ୍ଟ୍ରର ଉପକୂଳ ଜିଲ୍ଲାଗୁଡିକରେ ପ୍ରବଳ କ୍ଷତି କରିଛି ବାତ୍ୟା ‘ତାଉ ତେ’ । ଜୁନାଗଡ, ଗିର-ସୋମନାଥ, ଭାବନଗର ଓ ଆମରେଲି ଜିଲ୍ଲାରେ ସବୁଠାରୁ ଅଧିକ ତାଣ୍ଡବ କରିଛି ବାତ୍ୟା । ଘଂଟାପ୍ରତି ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବାରୁ ବଡବଡ ଗଛ ଓ ବିଦ୍ୟୁତ ତାର ଉପୁଡି ପଡିବା ସହ ଟିଣ ଛପର ଘର ଓ ପୁରୁଣା ପକ୍କାଘର ସବୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ଗୋଟିଏ ପଟେ କରୋନା ମହାମାରୀ ସହ ଲଢୁଥିବା ଗୁଜରାଟରେ ପ୍ରଳୟ ରଚିଛି ବାତ୍ୟା ତାଉ ତେ । ଉପକୂଳ ଅଂଚଳରେ କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଜିଲ୍ଲାଗୁଡିକରେ ୫୦ ଏନଡିଆରଏଫ ଓ ୧୦ ଏସଡିଆରଏଫ ଟିମଙ୍କୁ ମୁତୟନ କରାଯାଇଛି ।

ଓଡିଶାରୁ ମଧ୍ୟ ୫ଟି ଏନଡିଆରଏଫ ଟିମ୍ ଗୁଜରାଟରେ ପହଂଚି ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରିଛନ୍ତି । ଜୁନାଗଡ, ଗିର-ସୋମନାଥ, ଭାବନଗର ଓ ଆମରେଲି ଜିଲ୍ଲାର ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରି ପ୍ରାୟ ୨ ହଜାର ଆଶ୍ରୟସ୍ଥଳରେ ରଖାଯାଇଛି । ସମୁଦ୍ରରେ ପ୍ରାୟ ୩ ମିଟର ଉଚ୍ଚର ଜୁଆର ଆସିବାରୁ ତଳିଆ ଅଂଚଳରେ ପାଣି ପଶିଯାଇଛି । ବାତ୍ୟା ପରେ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିବାରୁ ଜିଲ୍ଲା ପ୍ରଶାସନଗୁଡିକୁ ସତର୍କ କରାଇ ଦିଆଯାଇଛି ।