ଚକଡା ପୋକ ପରେ ୨୨ଜିଲ୍ଲାପାଳଙ୍କୁ କୃଷି ସଚିବଙ୍କ ଚିଠି ! ଅଧିକ କ୍ଷତି ନହେବାଲାଗି ପଦକ୍ଷେପ ନେବାକୁ ଉଲ୍ଲେଖ

43

କନକ ବ୍ୟୁରୋ : ଚକଡା ପୋକ ଚିନ୍ତା ପରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କୃଷି ସଚିବ । ଜମିରେ ପୋକ ଲାଗି ଫସଲ ନଷ୍ଟ ହେବା ପ୍ରସଙ୍ଗରେ ଏହି ଚିଠି ଲେଖାଯାଇଛି । ୨୨ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି କୃଷି ସଚିବ ସୌରଭ ଗର୍ଗ । ଚିଠିରେ ପରାମର୍ଶ ଦିଆଯାଇଛି, ଅଧିକ କ୍ଷତି ନହେବା ଲାଗି ପଦକ୍ଷେପ ନିଆଯାଉ । କୃଷକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ବି ପରାମର୍ଶ ଦିଆଯାଇଛି । ଏଥିପାଇଁ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ । ୨୨ ଜିଲ୍ଲାର ଜିଲ୍ଲାପାଳଙ୍କୁ ଜିଲ୍ଲା ଓ ବ୍ଲକରେ ନୋଡାଲ ଅଫିସର ନିଯୁକ୍ତ କରିବାକୁ ବି ପରାମର୍ଶ ଦିଆଯାଇଛି । କମିଟି ଗଠନ ରାଜସ୍ୱ ଓ କୃଷି ବିଭାଗ ଅଧିକାରୀ ରଖିବାକୁ ପରାମର୍ଶ ଦେଇଛନ୍ତି କୃଷି ସଚିବ ।

ସେପଟେ ବରଗଡରେ ଚକଡା ପୋକ ଲାଗି ନଷ୍ଟ ହୋଇଥିବା ଫସଲ ପାଇଁ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ । କ୍ଷୟକ୍ଷତି ଦାବିରେ ଭେଡେନ ବ୍ଲକ ମହୁଲପାଲିରେ ଚାଷୀମାନେ ରାସ୍ତାରୋକ କରିଛନ୍ତି । ଫଳରେ ସୋନପୁର ଗୋଡଗୋଗା ରାସ୍ତାରେ ଗାଡି ଚଳାଚଳ ଠପ ହୋଇଯାଇଛି ।

ତେବେ ଆଜି ରାଜ୍ୟ ସଚିବାଳୟରେ ବସୁଛି କୃଷି କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବସୁଛି ଏହି ବୈଠକ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ସବୁ ନିଆଯାଇପାରେ ବୋଲି ଅନୁମାନ କରାଯାଉଛି । ବିଶେଷ କରି ଚାଷୀ ଆତ୍ମହତ୍ୟା ଖବର, ଚକଡ଼ା ପୋକ ଯୋଗୁଁ ଫସଲହାନୀ ଏବଂ ଜମିରେ ନିଆଁ ଲଗାଇବା ନେଇ ଆଲୋଚନା ହୋଇପାରେ । ଏହା ସହ ଚାଷୀଙ୍କ ପାଇଁ ବଡ ପ୍ୟାକେଜ୍ ଘୋଷଣା ହେବା ନେଇ ଅନୁମାନ କରାଯାଉଛି । କ୍ରମାଗତ ଭାବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଫସଲ ପୋଡ଼ିବାର ଖବର ଏବଂ ଚାଷୀ ଆତ୍ମହତ୍ୟା ଭଳି ଖବର ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଚାଷୀ ଆତ୍ମହତ୍ୟାର ଖବର ଆସୁଛି । ଆଜି ରାଜସ୍ୱ କୃଷକ ସମବାୟ ସହ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ।