ମହାପ୍ରଭୁ ଲିଙ୍ଗରାଜଙ୍କ ରୁକଣା ରଥଯାତ୍ରାରେ ବିଭ୍ରାଟ ! ବାରମ୍ବାର ଛିଡିଲା ରଥ ଦଉଡି, ଆଜି ପୁଣି ରଥ ଟାଣିବାକୁ ମନ୍ଦିର ପ୍ରଶାସନର ନିଷ୍ପତି

105

କନକ ବ୍ୟୁରୋ: ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ବେଳେ ଘଟିଛି ବିଭ୍ରାଟ । ବାରମ୍ବାର ରଥ ଦଉଡି ଛିଣ୍ଡିବା ପରେ ରଥଟଣାକୁ ଅଧାରେ ରଖିଲା ମନ୍ଦିର ପ୍ରଶାସନ । ରଥଟଣା ଆରମ୍ଭ ହେବା ପରେ ତିନି ତିନି ଥର ରଥ ଦଉଡି ଛିଣ୍ଡିଲା । ଫଳରେ ଅଧାରେ ରଥଟଣାକୁ ଅଟକାଇବାକୁ ବାଧ୍ୟ ହୋଇଥିଲା ପ୍ରଶାସନ । ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଏଭଳି କାଣ୍ଡ ହୋଇଥିବା ଅଭିଯୋଗ କରିଛନ୍ତି ସେବାୟତ ଓ ଭକ୍ତ ।

ପରମ୍ପରା ଅନୁଯାୟୀ ଗତକାଲି ଭୋର ସାଢ଼େ ୫ଟାରେ ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ କରାଯାଇଥିଲା । ୫ଟା ୩୦ରୁ ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ସାହାଣମେଲା ଦର୍ଶନ ହୋଇଥିଲା । ଏହାପରେ ଛାମୁ ପରିଷ୍କାର, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ଶ୍ରୀଜିଉଙ୍କ ବେଶ, ଦେବଦେବୀଙ୍କ ବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ମହାସ୍ନାନ, ବେଶ ପରେ ମଧ୍ୟାହ୍ନରେ ଯାତ୍ରା ପୂଜା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ପ୍ରାୟ ୨ଟାରେ ମନ୍ଦିର ବେଢ଼ା ପରିକ୍ରମା କରାଯିବା ପରେ ଶ୍ରୀଜିଉଙ୍କ ପହଣ୍ଡି ହୋଇଥିଲା। ଅପରାହ୍ଣ ସାଢ଼େ ୨ଟାରେ ରଥ ପରିକ୍ରମା କରି ମହାପ୍ରଭୁ ରଥାରୂଢ଼ ହୋଇଥିଲେ । ରଥ ଉପରେ ପରିକ୍ରମା କରାଇବା ପରେ ସେବାୟତମାନେ ଶ୍ରୀଜିଉଙ୍କୁ ରଥ ସିହାଂସନରେ ବସାଇଥିଲେ । ଛେରାପହଁରା ନୀତି ପରେ ପୂଜାପଣ୍ଡା ସେବାୟତଙ୍କ ଦ୍ଵାରା ପୂଜା କରାଯାଇଥିଲା। କିଛି ସମୟ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଚାରିଦ୍ଵାର ପୂଜା ପରେ ରଥରେ ଚାରି ଘୋଡ଼ା ଯୋଚା ଯାଇଥିଲା। ପ୍ରାୟ ସାଢ଼େ ୪ଟାରେ ଚାରମାଳ ଖୋଲାଯିବା ପରେ ୫ଟାରେ କାଳେସି ରଥ ସମ୍ଭାଳିଥିଲେ ।

ଅପରାହ୍ଣ ଠିକ୍ ୫ଟା ୧୦ମିନିଟରେ ରଥ ଟଣା ଆରମ୍ଭ ହୋଇଥିଲା। ହରିବୋଲ ହୁଳହୁଳି ଧ୍ୱନିରେ ରଥଦାଣ୍ଡ ଉଛୁଳି ପଡ଼ିଥିଲା । ହେଲେ ଶ୍ରଦ୍ଧାଳୁମାନେ ଯେତେ ବଳ ଖର୍ଚ କରି ରଥ ଟାଣିଥିଲେ ମଧ୍ୟ ୩୦ମିନିଟ୍ ପର୍ଯ୍ୟନ୍ତ ରଥ ଆଗକୁ ଗଡ଼ି ନଥିଲା। ବାରମ୍ବାର ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟଣା ବିଳମ୍ବିତ ହୋଇଥିଲା। ଡାହୁକ ବୋଲି ଦେବା ସହ ଠାକୁରଙ୍କ ଦ୍ଵାହି ଦେବା ପରେ ରଥ ମାତ୍ର ଦେଢ଼ ହାତ ଗଡ଼ିଥିଲା। ମାତ୍ର ଏହାପରେ ଚତୁର୍ଥ ଥର ପାଇଁ ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟାଣୁଥିବା ଭକ୍ତମାନେ ପରସ୍ପର ଉପରେ ପଡ଼ିଥିଲେ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏମିତି ବିଭ୍ରାଟ ଭିତରେ ସନ୍ଧ୍ୟା ହୋଇଯିବାରୁ ୬ଟା ୪୫ରେ ରଥଟଣା ବନ୍ଦ କରାଯାଇଥିଲା। ତେବେ ଏହାପରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ହଜାର ହଜାର ଭକ୍ତ ଭିଡ଼ ଜମାଇ ଥିଲେ। ଭକ୍ତମାନେ ରଥକୁ ଲାଗିଥିବା ସିଡ଼ିରେ ଚଢ଼ି ଦର୍ଶନ କରିଥିଲେ । ରାତି ପର୍ଯ୍ୟନ୍ତ ଏଭଳି ଭିଡ଼ ଲାଗି ରହିଥିଲା ।

ଉଲ୍ଲେଖଯୋଗ୍ୟ ଯେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ ବୋଲି ପୂର୍ବରୁ ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକରେ ନୀତି ନିର୍ଘଣ୍ଟ ହୋଇଥିଲା। ମାତ୍ର ନୀତି ବିଳମ୍ବ ଯୋଗୁ ନିର୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇ ପାରି ନଥିଲା। ପ୍ରାୟ ଘଣ୍ଟାଏ ୧୦ ମିନିଟ୍ ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟାଏରୁ ଅଧିକସମୟ ପର୍ଯ୍ୟନ୍ତ ନୀତି ବିଳମ୍ବ ହୋଇଥିଲା। ଶୁକ୍ରବାର ରଥରେ କପଡ଼ା ବାନ୍ଧିବାରେ ବିଳମ୍ବ ହୋଇଥିବା ବେଳେ ଗତକାଲି ସବୁ ନୀତିରେ କିଛି କିଛି ସମୟ ବିଳମ୍ବ ହୋଇଥିଲା। ତେବେ ରଥ ଉପରେ ଠାକୁରଙ୍କ ବିଜେ ପରେ ନୀତି ଓ ଦର୍ଶନ ଯୋଗୁଁ ଆଉ ଅଧଘଣ୍ଟା ବିଳମ୍ବ ହୋଇଥିଲା।

ଅନ୍ୟପକ୍ଷରେ ବାରମ୍ବାର ରଥ ଦଉଡ଼ି ଛିଣ୍ଡିବାରୁ ରଥଟଣା ବିଳମ୍ବ ହେଲା ବୋଲି କୁହାଯାଉଛି । ଆଜି ଅପରାହ୍ନ ୨ଟାରେ ପୁଣି ରଥ ଟଣାହେବ ବୋଲି ପ୍ରଶାସନ ଘୋଷଣା କରିଛି । ତେବେ ଆଜି ଶ୍ରୀରାମନବମୀ ଥିବାରୁ ଶ୍ରୀଜିଉ ରାମେଶ୍ୱର ମନ୍ଦିରରେ ତାଙ୍କର କେତେକ ନୀତି ରହିଛି । ତାହା ପୂରଣ ହେବ କି ନାହିଁ ସେନେଇ ସନ୍ଦେହ ପ୍ରକାଶ କରିଛନ୍ତି ସେବାୟତ ।