ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ପ୍ରସ୍ତୁତି ! ମାସକୁ ରାଜ୍ୟରେ ନିର୍ମାଣ ହେବ ୨୦୦୦ କି.ମି. ନୂଆ ରାସ୍ତା

120

କନକ ବ୍ୟୁରୋ : ଗତ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ ତ୍ବରାନ୍ବିତ କରିବା ପାଇଁ ମାସକୁ ୨୦୦୦ କି.ମି. ନୂଆ ରାସ୍ତା ନିର୍ମାଣ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଗତକାଲି ସଚିବାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମାସକୁ ୨୦୦୦ କି.ମି. ନୂଆ ରାସ୍ତା ନିର୍ମାଣ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ନିର୍ଦେଶ ଦେଇଛନ୍ତି ।

ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ୨ୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ(ଡିପିଆର)କୁ ଅନୁମୋଦନ ଦିଆଯାଇଥିଲା । ଏ ସଂପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଡ. ମୋନା ଶର୍ମା ସୂଚନା ଦେଇ କହିଥିଲେ, ୨ୟ ପର୍ଯ୍ୟାୟରେ କେବଳ ପୂର୍ବରୁ ଥିବା ରାସ୍ତାର ଉନ୍ନତୀକରଣ ହୋଇପାରିବ । ତଦନୁଯାୟୀ ୪୪୦୪ କି.ମି. ରାସ୍ତାର ଉନ୍ନତୀକରଣ ନିମନ୍ତେ ଅଗ୍ରାଧିକାର ତାଲିକା ପ୍ରସ୍ତୁତ କରାଯାଇଥିଲା ।

୨୦୨୦ ମାର୍ଚ ସୁଦ୍ଧା ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ। ସୂଚନାନୁସାରେ ଗ୍ରାମ ସଡ଼କ ଯୋଜନାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୪୮୪୫୨ କି.ମି. ରାସ୍ତା ଏବଂ ୨୪୧ଟି ପୋଲ ନିର୍ମାଣ ସରିଛି । ଏ ବାବଦରେ ଅକ୍ଟୋବର ମାସ ଶେଷସୁଦ୍ଧା ୨୦୮୯୨ କୋଟି ବିନିଯୋଗ କରାଯାଇଛି । ଚଳିତ ବର୍ଷ ଆହୁରି ୧୦ ହଜାର କି.ମି. ସଡ଼କ ନିର୍ମାଣ ଲକ୍ଷ୍ୟ ନେଇ କାର୍ଯ୍ୟ ଯୋଜନା ପ୍ରସ୍ତୁତ ହୋଇଛି ।