ଆଜି ରାଜାଧିରାଜ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତୀ: ଭକ୍ତଙ୍କ ସମାଗମକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି

ମହାପ୍ରଭୁ ଦୁର୍ଲଭ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ

57

କନକ ବ୍ୟୁରୋ : ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା । କାର୍ତିକର ଶେଷ ଦିନରେ ମହାପ୍ରଭୁ ଦୁର୍ଲଭ ରାଜାଧିରାଜ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାଙ୍ଗକୁ ସମୁଦ୍ର ବେଳାଭୂମିରେ ବୋଇତ ବନ୍ଦାଣ ପାଇଁ ମଧ୍ୟ ପ୍ରବଳ ଭିଡ଼ ଜମିଛି । ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ କରିବା ସହ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି । ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣରେ ୨୦୩ ଅଫିସର ଓ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। କାର୍ତିକ ପୂର୍ଣ୍ଣିମାର ଦିନକ ପୂର୍ବରୁ କେନ୍ଦ୍ରାଞ୍ଚଳ ପୁଲିସ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ, ଏସପି ଡାକ୍ତର ସାର୍ଥକ ଷଡ଼ଙ୍ଗୀ ଓ ଅନ୍ୟ ଅଧିକାରୀମାନେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ବଡ଼ି ଭୋରରୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଉଥିବାରୁ ଗତରାତି ୧୨ଟା ପୂର୍ବରୁ ପହୁଡ଼ ହୋଇ ରାତି ୨ଟାରୁ ଦ୍ବାରଫିଟା ନୀତି ପାଇଁ ବ୍ୟବସ୍ଥା ହୋଇଥିଲା।

 

ଦ୍ବାରଫିଟା ନୀତି ଶେଷ ପରେ ଅର୍ଥାତ୍ ରାତି ୩ଟାରୁ ଦର୍ଶନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନିଆଯାଇଛି। ଭିଡ଼ ନିୟନ୍ତ୍ରଣ ତଥା ଭକ୍ତଙ୍କ ଦର୍ଶନ ପାଇଁ ସିଂହଦ୍ବାରରେ ପ୍ରବେଶ ଓ ଅନ୍ୟ ଦ୍ବାରରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟଠାରୁ କାଠ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଭିଡ଼କୁ ଦେଖି ଚାରିଥାକିଆ ଦର୍ଶନ ବ୍ୟବସ୍ଥା କରାଯାଇଥିବା ବେଳେ ସୁରକ୍ଷା ଦାୟିତ୍ବରେ ଜଣେ କମାଣ୍ଡାଣ୍ଡଙ୍କୁ ନିଯୁକ୍ତ କରାଯାଇଛି। ଶ୍ରୀମନ୍ଦିର ଭିତରେ ଓ ବାହାରେ ୧୧ ଜଣ ଏସପି, ୨୨ ଜଣ ଡିଏସପି, ୩୦ ଜଣ ଇନ୍ସପେକ୍ଟର, ୧୩୯ ଜଣ ଏସ୍ଆଇ ଓ ଏଏସ୍ଆଇ, ୫୦୦ ହୋମଗାର୍ଡ଼ଙ୍କୁ ମୁତୟନ କରାଯାଇଛି।  ଶ୍ରୀମନ୍ଦିର ଭିତରେ ଓ ବାହାରେ ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି।