ଖୁବଶୀଘ୍ର ଖୋଲିବ ପ୍ରଥମ ଅଷ୍ଟମ ଶ୍ରେଣୀ ପାଇଁ ସ୍କୁଲ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହେଉଛି । ସେପଟେ ଆସନ୍ତା ୮ରୁ ଖୋଲିବ ନବମ ଓ ଏକାଦଶ ପାଇଁ ସ୍କୁଲ

1,374

କନକ ବ୍ୟୁରୋ : ସ୍କୁଲ ଖୋଲିବାକୁ ଚାଲିଛି ପ୍ରସ୍ତୁତି । ଏଥିପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଅର ବା ଏସଓପି ତିଆରି କରୁଛି ସ୍କୁଲ ଓ ଗଣିଶିକ୍ଷା ବିଭାଗ । ସ୍କୁଲ ଖୋଲିଲେ କେମିତି ପାଳନ ହେବ ନିୟମ ଓ କିଭଳି ପାଠପଢା ହେବ ସେଥିଲାଗି ଚାଲିଛି ବିଚାରବିମର୍ଷ । ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ପାଇଁ ଏସଓପି ପ୍ରସ୍ତୁତ ହେଉଛି । ପ୍ରଥମରୁ ଅଷ୍ଟମ ଖୋଲିବାକୁ ଏସଆରସି ମାର୍ଗଦର୍ଶିକା ଜାରି କରିଛନ୍ତି । ଅଙ୍ଗନବାଡ଼ି ଖୋଲିଲାଣି । କେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲାଯିବ ସେ ନେଇ ମନ୍ତ୍ରୀ ସ୍ପଷ୍ଟ ଭାବେ ସୂଚନା ଦେଇ ନ ଥିଲେ ବି  ଠିକ ସମୟରେ ଖୋଲାଯିବ ବୋଲି କହିଛନ୍ତି।

ସେପଟେ, ଆସନ୍ତା ୮ ତାରିଖରେ ନବମ ଓ ଏକାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶିକ୍ଷକ ଅଭାବ ରହିବ ନାହିଁ । ଦକ୍ଷତା ଥିବା ପ୍ରାଥମିକ ସ୍କୁଲ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ନିୟୋଜିତ କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।  ଏପରିକି ଅବସରପ୍ରାପ୍ତ ଶିକ୍ଷକ ବି ଶିକ୍ଷାଦାନରେ ନିୟୋଜିତ ହେବେ । ତେବେ ରବିବାର କ୍ଲାସ ହେବନି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।