ମରିନାହିଁ ମଣିଷପଣିଆ । ୨୪ ଘଣ୍ଟା ପଡି ରହିଲା ଶବ କେହି ଆସିଲେନି, ଶେଷରେ ଦୁଇ ପୁଅଙ୍କୁ ସାଥୀ କରି ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଲେ ରେଙ୍ଗାଲୀ ବିଧାୟକ

69

କନକ ବ୍ୟୁରୋ : ବିଧାୟକଙ୍କ ମଣିଷପଣିଆକୁ ନେଇ ଚର୍ଚ୍ଚା । ଅନ୍ଧବିଶ୍ୱାସର ବଶବର୍ତି ହୋଇ ଶବକୁ କାନ୍ଧ ନଦେବା ଘଟଣାର ନଜିର ରହିଥିବା ବେଳେ ଆଜି ଜଣେ ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଇଛନ୍ତି ରେଙ୍ଗାଲି ବିଧାୟକ ରମେଶ ପଟୁଆ । ନିଜ ପରିବାର ସଦସ୍ୟଙ୍କୁ ସହ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଇ ବୈଦିକ ରୀତିରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ ।

ଜଣେ ଅସହାୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଇଛନ୍ତି ରେଙ୍ଗାଲି ବିଧାୟକ ରମେଶ ପଟୁଆ । କେବଳ ସେ ନୁହନ୍ତି, ତାଙ୍କ ପୁଅ ମଧ୍ୟ କାନ୍ଧ ଦେଇଛନ୍ତି । ଏହି ଘଟଣା ବୟାନ କରୁଛି ଅନ୍ଧବିଶ୍ୱାସ ଅନ୍ଧଗଳିରେ ଆଜି ବି ମଣିଷ ପରି ମଣିଷ ଟିଏର କାମ କରିଛନ୍ତି ବିଧାୟକ । ରେଙ୍ଗାଲି ସୋଢାମାଲ ଅମାନାପାଲିରେ ଜଣେ ବୃଦ୍ଧା ଦୀର୍ଘଦିନ ଧରି ଭିକ୍ଷାବୃତି କରି ଚଳୁଥିଲେ । ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳର କୌଣସି ଲୋକ କାନ୍ଧ ଦେବାକୁ ଆସିନଥିଲେ । ଗତକାଲି ବିଧାୟକଙ୍କୁ ଫୋନ କରିଥିଲେ ଲଇଡା ଫାଣ୍ଡି ଅଧିକାରୀ । ଫାଣ୍ଡି ଅଧିକାରୀ କହିଥିଲେ, ୨୪ ଘଂଟା ହେଲା ଜଣେ ବୃଦ୍ଧାଙ୍କର ଶବ ପଡିଥିଲେ ବି ଏହାକୁ କେହି ଉଠାଉନାହାନ୍ତି । ଏହା ପରେ ବିଧାୟକ ସବୁ କାର୍ଯ୍ୟକ୍ରମ ବାତିଲ କରିଥିଲେ । ନିଜର ଦୁଇ ପୁଅକୁ ସାଙ୍ଗରେ ଧରି ଉକ୍ତ ସ୍ଥାନରେ ପଂହଚି ଯାଇଥିଲେ ।

ଆଉ ବୃଦ୍ଧାଙ୍କ ମୃତଦେହକୁ କୋକଇରେ ବାନ୍ଧି ଶ୍ମଶାନ ଅଭିମୁଖେ ବାହାରିଥିଲେ । ଆଗରେ ବିଧାୟକ ରମେଶ ପଟୁଆ ଓ ପଛରେ କୋକେଇକୁ ଧରିଥିଲେ ଦୁଇପୁଅ । ବିଧାୟକଙ୍କୁ ଏଭଳି ଦେଖିବା ପରେ କିଛି ଲୋକ ମଧ୍ୟ ତାଙ୍କ ସାଥ ଦେଇଥିଲେ । ଆଉ ବୈଦିକ ରୀତିରେ ଅସହାୟ ବୃଦ୍ଧାଙ୍କ ଶବ ସଂସ୍କାର କରାଯାଇଥିଲା । ବିଧାୟକଙ୍କ ଏହି ବଡପଣ ଏବେ ଅନ୍ୟ ମାନଙ୍କ ପାଇଁ ଆଦର୍ଶ ପାଲଟିଛି । ଆଉ ବିଧାୟକଙ୍କୁ ପ୍ରଂଶସାରେ ପୋତି ପକାଉଛନ୍ତି ସ୍ଥାନୀୟ ବାସିନ୍ଦା ।

୨ଦିନ ତଳେ ବୌଦ୍ଦରେ ଜଣେ ମହିଳାଙ୍କ ଶବକୁ କାନ୍ଧ ଦେବା ପାଇଁ ଗାଁ ଲୋକେ ରାଜି ନହେବାରୁ ସାଇକେଲରେ ଶବକୁ ବୋହି ଶ୍ମସାନ ନେଇଥିଲେ ତାଙ୍କ ଭିଣୋଇ । ଶିକ୍ଷିତ ସମାଜରେ ବିଭିନ୍ନ କାରଣକୁ ନେଇ ଶବକୁ କାନ୍ଧ ନମିଳିବା ଭଳି ଘଟଣାମାନ ଘଟୁଥିବା ବେଳେ ବିଧାୟକଙ୍କ ଏପରି ପାରିବା ପଣିଆ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।